ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ । ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ପାଇବେ । ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯.୪୩ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ । ସୂଚନାଯୋଗ୍ୟ ଯେ ଆଶା କର୍ମୀମାନେ ରାଜ୍ୟରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସେମାନେ ସଫଳ ଭାବେ ସଚେତନ କରିପାରୁଛନ୍ତି। ଏହା ସହିତ ଟୀକାକରଣ ଓ Institutional Delivery କ୍ଷେତ୍ରରେ ମଧ୍ୟ ଆଶା କର୍ମୀମାନେ ଗୁରୁ ଦାୟିତ୍ୱ ବହନ କରିଆସୁଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News