କଳାହାଣ୍ଡି,୧୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅଧିନସ୍ଥ ସନ୍ଧିକୁଲିହାରୀ ଗ୍ରାମରେ ଆର୍.ସି.ଡ଼ି.ସି ଓ ଶିଶୁ ବିକାଶ ପ୍ରକଳ୍ପ, କଳାହାଣ୍ଡିଙ୍କ ଆନୁକୂଲ୍ୟରେ ଏକ ନିଯୁକ୍ତି ମେଳା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ କଳାହାଣ୍ଡିଙ୍କ ପକ୍ଷରୁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ଦୁର୍ଗାଚରଣ ଦାସ ଓ ମୁଖ୍ୟମନ୍ତ୍ରୀ ଫେଲୋଶିପ୍ର ପ୍ରତିନିଧି ପ୍ରିୟା ମ୍ୟାଡାମ୍ ଉପସ୍ଥିତ ଥିଲେ। ଏହାସହିତ ଡାଟା ପ୍ରୋ କମ୍ପୁଟର କର୍ମଚାରୀ, ବେଦାନ୍ତ ତାଲିମ କେନ୍ଦ୍ର, ଏମ୍ଏନ୍ଜି ଏକାଡେମୀ ଓ ଭବାନୀପାଟଣାର ସାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ଼ର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ। ମେଳାରେ ଧର୍ମଗଡ଼ ବ୍ଲକର ବେହେରା ଓ ଟିପିଗୁଡା ଅଞ୍ଚଳରୁ ୧୫୦ରୁ ଅଧିକ ଯୁବକ-ଯୁବତୀ ଅଂଶଗ୍ରହଣ କରି ବିଭିନ୍ନ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବିକାଶ ତାଲିମ ସମ୍ପର୍କରେ ଅବଗତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୧୫ ଜଣ ଡାଟା ଅପରେଟର, ସିଲେଇ ମେସିନ ଅପରେଟର ଓ କଲ ସେଣ୍ଟର ପରି ବିଭିନ୍ନ କୋର୍ସରେ ତାଲିମ ନେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି। କାର୍ଯ୍ୟକ୍ରମଟିକୁ ଆର୍.ସି.ଡ଼ି.ସି ପ୍ରୋଗ୍ରାମ ଅଫିସର ବିହାରୀ ରାଉତ ପରିଚାଳନା କରିଥିବାବେଳେ ବିନୟ ରାଉତ, ରଶ୍ମିତା ବେହେରା, ସୀତାକାନ୍ତ ମାଝୀ, ଆଦିତ୍ୟ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।
ଏହି ନିଯୁକ୍ତି ମେଳା ଯୁବମାନଙ୍କ ଦକ୍ଷତା ବୃଦ୍ଧି ସହିତ ସ୍ୱୟଂରୋଜଗାର ଓ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସ୍ଥାନୀୟ ମହଳରେ ମତ ପ୍ରକାଶ ପାଇଛି |

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି