ଅବିରାମ ବର୍ଷାରେ ବେହାଲ ରାଉରକେଲା ସ୍ମାର୍ଟ ସିଟି : ଜଳମଗ୍ନ ରାସ୍ତା, ରେଳପଥ ଓ ତଳିଆ ଅଞ୍ଚଳ, ଜନଜୀବନ ଅସ୍ତବ୍ୟସ୍ତ…

ରାଉରକେଲା, ୧୩ ଅଗଷ୍ଟ:
ଆଜି ଭୋରୁ ରାଉରକେଲା ସହରରେ ଲାଗି ରହିଥିବା ଅବିରାମ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟିର ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶି ଅନେକ ଘର ଜଳମଗ୍ନ ହୋଇପଡ଼ିଛି। ପ୍ରମୁଖ ରାସ୍ତାଗୁଡ଼ିକ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଯାନବାହନ ଧୀର ଗତିରେ ଚଳାଚଳ କରୁଥିବା ବେଳେ ରାସ୍ତାରେ ପାଣିର ଲହଡ଼ି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ସହରର କେତେକ ସ୍ଥାନରେ ଡ୍ରେନ୍‌ ଉପଚି ରାସ୍ତା ଉପରେ ପାଣି ବହୁଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। କେତେକ ରେଳ ଟ୍ରାକ୍‌ରେ ମଧ୍ୟ ପାଣି ଜମିଥିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଛତା ଧରି ପାଣି ଭିତରେ ଚାଲିଚାଲି କାର୍ଯ୍ୟାଳୟ ଓ ଜରୁରୀ କାମରେ ବାହାରିଥିବା ଲୋକଙ୍କୁ ନାହିଁନଥିବା ହଇରାଣ ହେବାକୁ ପଡ଼ିଛି।

ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ରାଉରକେଲାରେ ପ୍ରତିବର୍ଷ ବର୍ଷା ହେଲେ ସମାନ ପରିସ୍ଥିତି ସୃଷ୍ଟି ହେଉଥିବାରୁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ଜାରି ରହିବାରୁ ତଳିଆ ବସ୍ତି ଅଞ୍ଚଳ ସମେତ ସହରର ଜନଜୀବନ ଆଂଶିକ ଠପ୍ ହୋଇପଡ଼ିଥିବା ବେଳେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ଆରଏମସି କମିଶନର ଦୀନା ଦସ୍ତାଗିର ପ୍ରମୁଖ ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ଓ ପରିସ୍ଥିତି ସୁଧାର ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ବହୁଳ ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଓ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ଆଜିର ଏହି ପ୍ରବଳ ଅବିରାମ ବର୍ଷା ବିଗତ ଦଶନ୍ଧିରେ କେବେ ଦେଖିବାକୁ ମିଳିନଥିଲା ଏବଂ ସହରବାସୀ ଏଭଳି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇନଥିବା କୁହାଯାଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page