ବାଲିଅନ୍ତା,୧୬|୭ (ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ହୀରାପୁର ଗଡ଼କଣ୍ଡୁଣିଆ ଠାରେ ସୁଦର୍ଶନଙ୍କ ଦାରୁ ସ୍ଥଳୀରେ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ପୁରୀ ଶ୍ରୀମନ୍ଦିର ନୀତି ଅନୁସାରେ ପ୍ରାତଃ ୬ଟାରୁ ମଙ୍ଗଳ ଆଳତି, ମଇଲମ୍, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଖେଚୁଡ଼ିଭୋଗ, ପୂର୍ବାହ୍ନ ୧0 ଟାରେ ରଥ ପ୍ରତିଷ୍ଠା କରାଯାଇଥିଲା l ପରେ ବର୍ଷା ଯୋଗୁଁ ପହଣ୍ଡିରେ ବିଳମ୍ବ ହୋଇଥିଲା l ପ୍ରାୟ ୧ ଟାରେ ଘଣ୍ଟଘଣ୍ଟା ହରିବୋଲ ହୁଳହୁଳିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ବିଜେ କରାଯାଇଥିଲା l ପ୍ରଥମେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପରେ ଧାଡ଼ି ପହଣ୍ଡିରେ ବଡ ଠାକୁର, ହଳଦୀ ମୁହିଁ ସୁଭଦ୍ରା ଏବଂ ଶେଷରେ ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା l ପ୍ରାୟ ୨ ଟାରେ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା l ପରେ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକ୍ରାନ୍ତି ପରେ ଅପରାହ୍ନ ପ୍ରାୟ ସାଢେ ୩ ଟାରେ ରାଜା ଭାବେ ନବକିଶୋର ନାୟକ ଛେରାପହଁରା କରିଥିଲେ l ପରେ ଅପରାହ୍ନ ପ୍ରାୟ ସାଢେ ୪ ଟାରେ ରଥାଋଢ ଚତୁର୍ଦ୍ଧାବିଗ୍ରହଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହି ରଥଟଣା ପାଇଁ ଲୋକାରଣ୍ୟ ହୋଇଥିଲା ସୁଦର୍ଶନଦାରୁସ୍ଥଳୀ ।

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରୁଣା ଜଗନ୍ନାଥ ସଡ଼କ l ବର୍ଷା ସତ୍ୱେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ହରିବୋଲ ଜୟ ଜଗନ୍ନାଥ ଧ୍ଵନୀ ପ୍ରକମ୍ପିତ ହୋଇଥିଲା | ପରେ ସନ୍ଧ୍ୟା ୭ ଟାରେ ରଥିଜେମା ସ୍ଥିତ ମା’ଭଗବତୀଙ୍କ ମନ୍ଦିରରେ ପହଞ୍ଚିଥିଲା। ସୁଦର୍ଶନ ଦାରୁସ୍ଥଳୀ ଠାରୁ ମା’ ଭଗବତୀ ପର୍ଯ୍ୟନ୍ତ ରାସ୍ତା ଜଗନ୍ନାଥମୟ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ପରିଚାଳନା କମିଟିର ସମସ୍ତ ସଦସ୍ୟ ସଫଳତାର ସହ ଆୟୋଜନ କରିଥିବା ବେଳେ ବାଲିଅନ୍ତା ଥାନା ପୁଲିସ ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ l ସେହିପରି କାକରୁଦ୍ରପୂର୍ ,ଜୟଦେବ କେନ୍ଦୁବିଲ୍ଵଉପର ସାହି , ବାଳକାଟି,ରଙ୍ଗଣୀସାହି, ଝିଣ୍ଟିଶାସନ, ପୁବାଶାସନ ଗ୍ରାମରେ ମଧ୍ୟରେ ଅନୁରୂପ ଭାବେ ମହାପ୍ରଭୁଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l