ବାଳକାଟି ପଞ୍ଚୁଦୋଳ ମେଳଣ ଉଦଯାପିତହରିହର ଭେଟ ଦେଖିଲେ ୧0 ହଜାର ଶ୍ରଦ୍ଧାଳୁ

ବାଲିଅନ୍ତା,୧୨|୩): ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ହାତରେ ରଙ୍ଗବେରଙ୍ଗର ଅବିର ଓ ଫୁଲ ଧରି ବିମାନରେ ବସିଥିବା ଦିଅଁଙ୍କୁ ପ୍ରଦାନ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ l ଶେଷରେ ରାତିରେ ଥାନପତି ତଥା ଚାରିଦେଶର ମୁଖ୍ୟ ପୁରୋଧା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ୱର, ଶ୍ରୀଶ୍ରୀ ବାଲୁଙ୍କେଶ୍ବର ଏବଂ ଶ୍ରୀ ଦୋଳଗୋବିନ୍ଦ ମାନବୀୟ ଲୀଳାଖେଳ ସାରି ବିମାନ ଯୋଗେ ଗୁରୁବାର ରାତିରେ ସ୍ୱମନ୍ଦିରକୁ ବାହୁଡ଼ିଛନ୍ତି । ଆଜିର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଆକର୍ଷଣ ଥିଲା ‘ହରିହର ଭେଟ’। ଚଳିତ ବର୍ଷ ୫୩ ଟି ବିମାନ ପଡ଼ିଆରେ ବିରାଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ରାତି ସାଢ଼େ ୧୦ଟାରେ ମେଳଣ ପରିଚାଳନା କମିଟି ପକ୍ଷରୁ ହରିହରଭେଟର ଆୟୋଜନ କରାଯାଇଥିଲା । ପରମ୍ପରା ଅନୁଯାୟୀ ପ୍ରଥମେ ଥାନପତି ଶ୍ରୀଶ୍ରୀ ସ୍ଵପ୍ନେଶ୍ବର ଦେବ ପଡ଼ିଆରେ ଥିବା ଦୋଳମଣ୍ଡପ ଚାରିପଟେ ବୁଲିବା ପରେ ପଞ୍ଚୁଦୋଳ କମିଟି ପକ୍ଷରୁ ତିଆରି କରାଯାଇଥିବା ବାଉଁଶଭାରା ମଧ୍ଯରେ ଠିଆ ହୋଇଥିଲେ

ନିମନ୍ତ୍ରିତ ବିମାନ ଦୋଳମଣ୍ଡପ ଚାରିପଟେ ବୁଲି ଥାନପତିଙ୍କ ସହ ଭେଟ ହୋଇଥିଲେ । ଶେଷରେ ବାଳକାଟିର ଆରାଧ୍ୟ ଠାକୁର ଶ୍ରୀଶ୍ରୀ ମଦନମୋହନ ଦେବ ଘଣ୍ଟଘଣ୍ଟି ହୁଳହୁଳିରେ ଆସ୍ଥାନରୁ ଉଠି ଦୋଳମଣ୍ଡପ ଚାରିପଟେ ବୁଲିବାପରେ ନିଜର ପ୍ରିୟ ଭଗବାନଙ୍କ ସ‌ହ ଭେଟ ହୋଇଥିଲେ। ଭାଇଚାରାର ଏହି ପର୍ବକୁ ସମସ୍ତେ ଉପଭୋଗ କରିଥିଲେ। କମିଟି ପକ୍ଷରୁ ନିମନ୍ତ୍ରିତ ବିମାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କମିଟି ପକ୍ଷରୁ କଲେଜ ପଡ଼ିଆରେ ରଙ୍ଗବେରଙ୍ଗର ଆତସବାଜି ପ୍ରଦର୍ଶନୀ କରାଯାଇଥିଲା। ମେଳଣର ଉଦ୍‌ଯାପନୀ ସନ୍ଧ୍ୟାରେ ସରପଞ୍ଚ ରୀନା ବେହେରାଙ୍କ ପ୍ରତିନିଧି ପବିତ୍ର ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନାଏବ ସରପଞ୍ଚ ଅରୂପ ସାହୁ, ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ସମାଜସେବୀ ସୁବ୍ରତ ମହାନ୍ତି, ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ବସନ୍ତ କୁମାର ସାହୁ, କପିଳ ମହାରଣା, ମାଗୁଣି ଚରଣ ସେଠି, ବିଜେପି ବାଳକାଟି ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ରବୀନ୍ଦ୍ର ବାରିକ, ଝିଣ୍ଟିଶାସନ ପଞ୍ଚାୟତ ପୂର୍ବତନ ସରପଞ୍ଚ ରବିନାରାୟଣ ପାତ୍ର, କାହ୍ନୁ ଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ମେଳଣ ପଡିଆରେ ଭଳିକି ଭଳି ମନୋହାରୀ ଦୋକାନ ସାଙ୍ଗକୁ ପିଲାଙ୍କୁ ଖେଳଣା, ଘରୋଇ ଉପକରଣ ସାମଗ୍ରୀ ବିକ୍ରୀ ହେଉଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page