ବିଧାୟକ ବି ନିରୁପାୟ; ବିଧାନ ସଭାରେ ଉଠାଇଲେ ପ୍ରଶ୍ନ, ନିଦାବିଷ୍ଣୁ ଜିଲ୍ଲା ପ୍ରଶାସନ

ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ବ୍ଲାଷ୍ଟିଂ,ଗ୍ରାମବାସୀ ଅତିଷ୍ଠ: ପ୍ରାଶାସନ ଓ ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡରେ ମାଳମାଳ ବେଆଇନ ପଥରକ୍ୱାରୀ । ପଥର ମାଫିଆଙ୍କ କବଜାରେ ପୋଲିସ ଓ ପ୍ରଶାସନ ରହିଥିବାରୁ ଲୋକଙ୍କ ଅଭିଯୋଗ ଶୁଣାଯାଉନି । ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ ହେଉଛି । ଗ୍ରାମକୁ ଲାଗିରହିଥିବା ପାହାଡରେ କମ୍ପ୍ରେସର ଓ ବାରୁଦ ଲଗାଯାଇ ପଥର ବ୍ଲାଷ୍ଟିଂ କରାଯାଉଛି । ଫଳରେ ଗ୍ରାମର ଘରଗୁଡିକରେ ଫାଟ ସୃଷ୍ଟି ହେଉଛି । ଗ୍ରାମବାସୀ ଅଭିଯୋଗ କଲେ ପ୍ରଶାସନ କିମ୍ବା ପୋଲିସ ଶୁଣୁନି । ଏହି ଅଭିଯୋଗ ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବିଧାୟକ ଶ୍ରୀ ବାଗ ଅଭିଯୋଗ କରିଛନ୍ତି ଯେ, ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ଭାବରେ ବ୍ଲାଷ୍ଟିଂ କରାଯାଉଛି । ଗ୍ରାମବାସୀ ଅଭିଯୋଗ କଲେ ଏହି କ୍ୱାରୀକୁ ଚଳାଉଥିବା ଖଡିଆଳର ଛୋଟୁ ଅଗ୍ରୱାଲ ଗୁଣ୍ଡା ଲଗାଇ ଲୋକଙ୍କୁ ମାଡମରାଉଛି । କଣ୍ଟାବାଞ୍ଜି ବିଧାୟକ ଏନେଇ ପ୍ରଶାସନକୁ ଜଣାଇଥିଲେ ହେଁ କେହି ଶୁଣୁନଥିବା ବିଧାନ ସଭାରେ କହି କାହାର ଛତ୍ରଛାୟା ତଳେ ଛୋଟୁ ଅଗ୍ରୱାଲ ଏଭଲି ବେଆଇନ କାର୍ଯ୍ୟାକଳାପ ଚଳାଇଛି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲାପାଳ, ଟିଟିଲାଗଡ ଉପଜିଲ୍ଲାପାଳ, ବଙ୍କୋମୁଣ୍ଡା ତହସିଲଦାର ଓ ପୋଲିସ ବିଭାଗର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି । ଖବରନେବାରୁ ଜଣାପଡିଛି ଯେ, ବର୍ଲାବାହାଲି ଗାଁର ଏହି ପଥର କ୍ୱାରୀର କିଛି ଅଂଶ ବଙ୍ଗୋମୁଣ୍ଡାର ସଚୀନ ଅଗ୍ରୱାଲ ନାମକ ଜଣେ ଠିକାଦାର ଲିଜରେ ନେଇଛନ୍ତି । ସେ କିନ୍ତୁ ଏହାକୁ ନିଜେ ନଚଳାଇ ଖଡିଆଳର ଛୋଟୁ ଅଗ୍ରୱାଲ ନାମକ ଜଣେ କ୍ରସରମାଲିକଙ୍କୁ ଚଳାଇବାକୁ ଦେଇଛନ୍ତି । ସରକାରୀ ନୀୟମ ମୁତାବକ ଲିଜଧାରୀ ଯାହା କିଛି କାଗଜପତ୍ର ଆବଶ୍ୟକ କରିଥାଏ ତାହା ଏହି କ୍ୱାରୀରେ ପୂରଣ କରାଯାଇ ନାହିଁ । କିନ୍ତୁ ପ୍ରଶାସନିକ ଅଧିକାରୀମାନେ କାଗଜପତ୍ର ଯାଞ୍ଚ ନକରି ବେଆଇନ ଭାବରେ ଏହି କ୍ୱାରୀକୁ ଚଳାଇବାକୁ ଅନୁମତି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ପଥର କ୍ୱାରୀରେ ବ୍ଲାଷ୍ଟିଂ କରାଇବାର ଯାହା ନୀୟମ ରହିଛି ତାହାକୁ ମଧ୍ୟ ଏଠାରେ ସଂପୂର୍ଣ୍ଣ ଉଲଂଘନ କରାଯାଇଛି । ସେପଟେ ଏ ବିଷୟରେ ଖଣି ବିଭାଗର ଅଧିକାରୀମାନେ କିମ୍ବା ପୋଲିସ ତଥା ରାଜସ୍ୱବିଭାଗ ମୁହଁ ଖୋଲୁନାହାଁନ୍ତି । ମୋଟ ଉପରେ ଜିଲ୍ଲାରେ ବହୁଗୁଡିଏ ବେଆଇନ ଭାବରେ ଚାଲିଥିବା ଲଘୁଖଣିଜ ପଦାର୍ଥର ଚୋରା ଚାଲାଣକୁ ପ୍ରଶାସନ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହେଉଛି l ଏବେ ସାରା ରାଜ୍ୟରେ ଲଘୁଖଣିଜ ପଦାର୍ଥରେ ହଜାର ହଜାର କୋଟିର ରାଜସ୍ୱହାନୀ ହୋଇଥିବା ଖୋଦ ସିଏଜି ରିପୋର୍ଟ ଦେଇଛି । ସେଥି ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ଅନେକ ଗୁଡିଏ ପଥରକ୍ୱାରୀ ବାଲିଘାଟ ବେଆଇନ ଭାବରେ ଚାଲିଛି । ବାଲି ଓ ପଥର ଚୋରା ଚାଲାଣ ନେଇ ବଲାଙ୍ଗୀର ସାଂସଦଙ୍କ ଦିଶା ମିଟିଂରେ ମଧ୍ୟ ଟିଟିଲାଗଡ ବିଧାୟକ ନବୀନ ଜୈନ ଅଭିଯୋଗ ଉଠାଇଥିଲେ । ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ବଲାଙ୍ଗୀର ଖଣିଅଧିକାରୀ ବାଲି ମାଫିଆଙ୍କ ସହ ହାତ ମିଳାଇ କୋଟି କୋଟି ଟଙ୍କାର ଦୁର୍ନିତୀ କରିଥିବା ଅଭିଯୋଗ ଉଠାଇ ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତମନ୍ତ୍ରୀଙ୍କୁ ଚିଠିଲେଖି ତଦନ୍ତ ଦାବି ମଧ୍ୟ କରିଥିଲେ । ଏବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ବିଧାନ ସଭାରେ ପ୍ରଶାସନ ଓ ପୋଲିସର ଦୁର୍ନୀତିଖୋର ମନୋବୃତ୍ତିର ପର୍ଦ୍ଦାଫାସ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଫଳରେ ଜିଲ୍ଲାପ୍ରଶାସନର ଅସଲ ଚେହେରା ପଦାରେ ପଡିଯାଇଛି । କେନ୍ଦ୍ର ସରକାରଙ୍କ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଯାଞ୍ଚଟିମ ପଠାଇ ଏହାର ତଦନ୍ତ କରାଇବାକୁ ଜନସାଧାରଣରେ ଦାବି ଜୋର ଧରି ବାରେ ଲାଗିଛି l

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page