ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଫିଲ୍ମ ‘ସନାତନୀ’

ଓଡ଼ିଶାର ୨୨ ପ୍ରେକ୍ଷାଳୟରେ ୫୦ରୁ ଅଧିକ ସୋ’

ଭୁବନେଶ୍ୱର: ବହୁ ବାଦବିବାଦ ପରେ ଶୁକ୍ରବାର ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ସନାତନୀ’। ଓଡ଼ିଶାର ୨୨ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବାକୁ ଥିବା ବେଳେ ୭ତାରିଖ ଶୁକ୍ରବାର ଅପରାହ୍ନରେ ଏହାର ପ୍ରିମିୟର ସୋ ରାଜଧାନୀ ଭୁବନେଶ୍ୱରର ଶ୍ରୀୟା ସ୍ୱାତୀ ସ୍ତୁତି ସିନେକମ୍ପେ୍ଲକ୍ସରେ ପୂର୍ଣ୍ଣପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଅଭିଯୋଗ ହେଉଥିବାରୁ ପୁଲିସ ମଧ୍ୟ ସଜାଗ ଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ର ନାମ ପ୍ରଥମେ ‘ହେ ରାମ’ ରଖାଯାଇଥିଲା। ଚଳଚ୍ଚିତ୍ରକୁ ଓଡ଼ିଶାରେ ସେନ୍ସର ବୋର୍ଡ ପ୍ରମାଣପତ୍ର ମିଳିନଥିଲା। ଏହାପରେ ପ୍ରଯୋଜନା ସଂସ୍ଥା ମୁମ୍ବାଇରେ ସେନ୍ସର ବୋର୍ଡ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲା। ଏହାପରେ ଚଳଚ୍ଚିତ୍ର ନାମ ପରିବର୍ତ୍ତନ କରାଯାଇ ‘ସନାତନୀ-କର୍ମ ହିଁ ଧର୍ମ’ ରଖାଯାଇଥିଲା। ମୋଟ ୧ ଘଣ୍ଟା ୪୫ ମିନିଟ୍ ୪୫ ସେକେଣ୍ଡର ଏହି ଚଳଚ୍ଚିତ୍ରରୁ ଗୋଟିଏ ମିନିଟ୍ କାଟିବା ପରେ ସେନ୍ସର ପ୍ରମାଣପତ୍ର ମିଳିଥିଲା। ଏହାପରେ ଆଇନ ଫାସରେ ଛନ୍ଦି ହୋଇଥିଲା ପ୍ରଯୋଜନା ସଂସ୍ଥା। ଏପଟେ ଫିଲ୍ମ ରିଲିଜ୍ ପାଇଁ ଅନୁମତି ମିଳିବା ପରେ ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ଓ କଳାକାରମାନେ ଖୁସି ବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ଅପରାହ୍ଣରେ ଫିଲ୍ମର ରିଲିଜ୍‌କୁ ଧୁମ୍‌ଧାମ୍‌ରେ ଆୟୋଜନ କରାଯାଇଥିବା ଦେଖିବାକୁ ମିିଳିଛି। ଫିଲ୍ମର ପ୍ରଯୋଜନା ବିଜୟ କାନ୍ଦୋଇ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ବାସୁଦେବ ବରାଡ଼ ରହିଥିଲେ। ସଂଳାପ ମାନସ ରଞ୍ଜନ ସାମଲ ଓ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି। ଗୀତ ରଚନା ଡା. ନିର୍ମଳ ନାୟକ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମଦାର। ଚଳଚ୍ଚିତ୍ରଟିରେ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି ଓଲିଉଡର ଜଣାଶୁଣା ଆକ୍ଟର ସମ୍ବିତ । ଚଚ୍ଚଳିତ୍ରରେ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଛନ୍ତି। ଯାହାକି ଦର୍ଶକଙ୍କ ଆଦୃତ ହୋଇପାରିଛି। ଅନ୍ୟମାନଙ୍କ ମଧ୍ୟରେ ଆର୍ଲିନ୍ ଅଙ୍କିତା, ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍‌, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଯୋଜନା ସଂସ୍ଥା କହିଛି, ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତରୀକରଣ ଉପରେ ପର୍ଯ୍ୟବସିତ। କିନ୍ତୁ ଏଥିରେ କୌଣସି ଧର୍ମକୁ ବିରୋଧ କରାଯାଇନାହିଁ। ଯେଉଁମାନେ ନିରୀହ ଲୋକଙ୍କୁ ପ୍ରଲୋଭନ ଦେଖାଇ କିମ୍ବା ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ଫିଲ୍ମ ଦେଖିବାକୁ ଅନ୍ୟ ଧର୍ମର ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନେ ଏହି ଫିଲ୍ମ ଦେଖିଲେ ହିଁ ମନରେ ଥିବା ଭ୍ରାନ୍ତ ଧାରଣା ଦୂର ହେବ। ଅନ୍ୟପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ପ୍ରିମିୟର ସୋ’ ସମୟରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଫିଲ୍ମଟି ସାରା ଓଡ଼ିଶାର ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ପ୍ରକ୍ଷରୁ ପ୍ରକାଶ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page