କଳାହାଣ୍ଡି,(ଉତ୍କଳ ବୁଲେଟିନ):-ହୋଲି ପରେ ପରେ ଆରମ୍ଭ ହୋଇଗଲା ମହୁଲଫୁଲ ସଂଗ୍ରହ | ମହୁଲ ବେଟିବା ପାଇଁ ବେଟାଳି ମାନେ ବ୍ୟସ୍ତରେ ରହି ମହୁଲ ଫୁଲ ସଂଗ୍ରହ କରୁଛନ୍ତି | ଚାଷକାମ ପରେ ଜୀବନ ଜିବିକାର ଦ୍ୱତୀୟ ପନ୍ଥା ହେଲା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ | କଳାହାଣ୍ଡି ଜ଼ିଲ୍ଲା ଆଦିବାସୀ ବହୁଳ ଅଂଚଳ ମାନଂକରେ ମହୁଲଫୁଲ ସଂଗ୍ରହ ଚାଲିଛି | ଉଭୟ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଝାଂଜ ଖରାରେ ମହୁଲ ଫୁଲ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି |କିନ୍ତୁ ମହୁଲ ଫୁଲର ଉଚିତ ମୂଲ୍ୟ ପାଉନଥିବାରୁ ମହୁଲ ବେଟାଳିମାନେ ନିରାଶ ହୋଉଥିବା ପ୍ରକାଶ ପାଉଛି |ମହୁଲଫୁଲ ବେଟାଲିମାନେ ଭୋର ସକାଳରୁ ଝାଂଜ ପାହାଡ଼ କିମ୍ବା ନିଜ ବିଲକୁ ଯାଇ ସକାଳୁ ଦୁଇପହର ଯାଏଁ ମହୁଲଫୁଲ ବେଟୁଛନ୍ତି | ପ୍ରଚଣ୍ଡ ଖରାରେ ନିଜ ଛୋଟ ଛୁଆମାନଂକୁ ସାଂଗରେ ନେଇ ମହୁଲଫୁଲ ସଂଗ୍ରହ କରୁଛନ୍ତି | ସଂଗ୍ରହୀତ ମହୁଲକୁ ଲୋକେ ପାଂଚ ଦିନରୁ ଛଅ ଦିନ ପର୍ଯ୍ୟନ୍ତ ଟାଏଂ ଟାଏଂ ଖରାରେ ଶୁଖାଇବାପରେ ମହୁଲ ବିକ୍ରି ହେବାର ଯୋଗ୍ୟ ହୋଇଥାଏ | ମହୁଲଫୁଲ ସଂଗ୍ରହ କରି ଗରିବ ଶ୍ରେଣୀର ଲୋକେ ବେଶ ଦୁଇ ପଇସା ରୋଜଗାର କରଥାନ୍ତି |

ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ ମହୁଲଫୁଲ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ୟତମ ରୋଜଗାର ପନ୍ଥା ଅଟେ| ଏହି ମହୁଲଫୁଲ କୁ ବିକ୍ରିକରି ମୁଖ୍ୟତଃ ମହୁଲ ବେଟାଳି ପରିବାର ମାନେ ନିଜ ପରିବାରର ଆବଶ୍ୟକତାକୁ ପୂରଣ କରିଥାନ୍ତି | ଗୋଟିଏ ବର୍ଷପାଇଁ ଖାଇବା ଲୁଣ ବଦଳାଇ ରଖିବାର ଆଉ ଏକ ଭିନ୍ନଧରଣର ଅଭ୍ୟାସ ଆଉ ଯାହାକିଛି ଅର୍ଥ ବଂଚି ରହେ ଲୋକମାନେ ତାକୁ ସାଇତି ରଖି ଅଭାବ ସମୟରେ ବ୍ୟବହାର କରିଥାନ୍ତି |ହାଡ଼ଭଂଗା ପରିଶ୍ରମ କରୁଥିବା ମହୁଲ ବେଟାଳି ଗରିବ ଲୋକମାନେ ସଠିକ ପରିଶ୍ରମର ମୂଲ୍ୟ ପାଇପାରୁ ନାହାନ୍ତି |କିମ୍ବା ନିଜ ଗ୍ରାମ ପଂଚାୟତରେ ଜଙ୍ଗଲଜାତ ଦ୍ରବ୍ୟର କ୍ରୟ,ବିକ୍ରୟ, କରିବା ପାଇଁ ସଂଗ୍ରହ ରହିବାର ବ୍ୟବସ୍ଥା ମଧ୍ୟ ନାହିଁ | ଗ୍ରାମ ପଂଚାୟତର ବେକାର ଥିବା ଏବଂ ପୁଂଜି ନିବେଶ କରୁଥିବା ବ୍ୟକ୍ତି ମାନଂକୁ ଲାଇସେନ୍ସ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ହୋଇ ପାରୁନି | ମହୁଲ ଦର ସରକାର ନିର୍ଣ୍ଣୟ କରୁଥିବା ବେଳେ ଏଠାରେ ନିର୍ଣ୍ଣୟ କରନ୍ତି ମହୁଲ କିଣା ବେପାରୀ | ଯାହା ମହୁଲ ବେଟାଲିଙ୍କୁ ଭିକ ଦେବା ସଦୃଶ୍ୟ | ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେଲେ ମହୁଲ ବେଟାଳିମାନେ ବେଶ ଦୁଇଟଙ୍କା ପାଇ ନିଜ ପରିବାର କୁ ସୁରୁଖୁରୁରେ ଚଳାଇପାରିବେ ବୋଲି ଆଶା କରାଯାଉଛି |

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି