ବାଲିଅନ୍ତା,୨୩|୮(ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷା ଓ ଜନସୁରକ୍ଷା ପାଇଁ ଉତ୍ତରା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଆଜି ତାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଭଳି ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ବରିଷ୍ଠ ନାଗରୀକ l ଅବସର ପରେ କିମ୍ବା ବୟସର ଅପରାହ୍ନରେ ମଧ୍ୟ ସେମାନେ ଥକି ନ ପଡି ଏଭଳି ଜନହିତକର କାର୍ଯ୍ୟ କରୁଛନ୍ତି ବୋଲି ଅଞ୍ଚଳବାସୀ ଭୁୟସୀ ପ୍ରଂଶସା କରିଥିଲେ l
ତାଳ ଗଛ ଆମ ପରିବେଶ, ଜୈବବିବିଧତା, ମୃତ୍ତିକା ସଂରକ୍ଷଣ ଏବଂ ଗ୍ରାମୀଣ ଅର୍ଥନୀତି ପାଇଁ ଏକ ଅତ୍ୟନ୍ତ ଉପଯୋଗୀ ବୃକ୍ଷ। ବିଶେଷକରି ବଜ୍ରପାତ ପ୍ରବଣ ଅଞ୍ଚଳରେ ତାଳ ଗଛର ବ୍ୟାପକ ରୋପଣ ଜନସୁରକ୍ଷା ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ବହନ କରେ ବୋଲି ବରିଷ୍ଠ ନାଗରୀକ ମାନେ ମତପ୍ରକାଶ କରିଛନ୍ତି l ଏହି ଉପଯୋଗୀ ବୃକ୍ଷର ଗୁରୁତ୍ୱକୁ ଅନୁଭବ କରି ଉତ୍ତରା ଜଳସମ୍ପଦ ବିଭାଗ ସାଇଫନ କେନାଲ ବନ୍ଧ ପାର୍ଶ୍ୱରେ ୧୫୦ଟି ତାଳ ଚାରା ରୋପଣ କରାଯାଇଛି । ମଞ୍ଚର ସଭାପତି ଡ଼. ଅମରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ତାଳ ଗଛ ଏକ ଦୀର୍ଘଜୀବୀ ଓ ବହୁମୁଖୀ ଉପକାରୀ ବୃକ୍ଷ। ଏହାର ମୂଳ ମାଟିକୁ ଦୃଢ଼ ଭାବେ ଧରି ରଖିବାରେ ସହାୟକ ହୋଇଥିବାରୁ କେନାଲ ବନ୍ଧ, ନଦୀବନ୍ଧ ଓ ପୋଖରୀ ହୁଡ଼ା ଆଦିରେ ମୃତ୍ତିକା କ୍ଷୟ ରୋକିବାରେ ଏହାର ଭୂମିକା ରହିଛି। ତାଳ ଗଛ ବଜ୍ରପାତ ପ୍ରବଣ ଅଞ୍ଚଳରେ ମଧ୍ୟ ଏକ ପ୍ରାକୃତିକ ଉଚ୍ଚ ବୃକ୍ଷ ଭାବେ ଉପକାରୀ ହୋଇଥାଏ ।

ତାଳ ଗଛର ଫଳ, ତାଳସଜ, ତାଳରସ, ନୀରା ଓ ତାଳଗୁଡ଼ ଆଦି ଗ୍ରାମୀଣ ଅର୍ଥନୀତିରେ ଆୟର ଉତ୍ସ ସୃଷ୍ଟି କରିଥାଏ। ଏହାର ପତ୍ର ଓ କାଠ ବିଭିନ୍ନ ଘରୋଇ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ଏଥିସହିତ ତାଳ ଗଛ ବାୟା ଚଢ଼େଇ ସମେତ ବିଭିନ୍ନ ପକ୍ଷୀଙ୍କୁ ବାସସ୍ଥାନ ଯୋଗାଇ ଜୈବବିବିଧତା ସୁରକ୍ଷାରେ ମଧ୍ୟ ଅବଦାନ ରଖେ। ଏହି ଅବସରରେ ମଞ୍ଚର ସଭ୍ୟ ଶିବ ପ୍ରସାଦ ସାହାଣୀ, ଜଇରାମ ବିଶ୍ୱାଳ, ପ୍ରଭାତ ଚନ୍ଦ୍ର ସାହୁ, ରବିନାରାୟଣ ପାତ୍ର, ରାଜେନ୍ଦ୍ର କୁମାର ଦାଶ, ଶଙ୍କର ମୁଦୁଲି, ସଞ୍ଜୟ କୁମାର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ବିଜୟଲକ୍ଷ୍ମୀ ଦାଶ, ଜଳନ୍ଧର ଜେନା, ତ୍ରିନାଥ ସାମନ୍ତରାୟ, ତ୍ରିନାଥ ପରିଡ଼ା, ଗଣେଶ୍ୱର ଶାସମଲ, କୃଷ୍ଣଚନ୍ଦ୍ର କର ଓ ସୀତାକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣରେ ସହଯୋଗ କରିଥିଲେ। “ଗୋଟିଏ ତାଳ ଗଛ—ପରିବେଶ ପାଇଁ ଆଶୀର୍ବାଦ, ଆଗାମୀ ପିଢ଼ି ପାଇଁ ସୁରକ୍ଷା।”ଉତ୍ତରା ବରିଷ୍ଠ ନାଗରିକ ମଞ୍ଚର ଏହି ପଦକ୍ଷେପ ପରିବେଶ ସୁରକ୍ଷା ସହିତ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁସ୍ଥ ପରିବେଶ ଗଠନରେ ନିଶ୍ଚିତ ଭାବେ ଏକ ସ୍ମରଣୀୟ ଅବଦାନ ହୋଇ ରହିବ।