ବାଲିଅନ୍ତା,୧|୪ ଗୋବର୍ଦ୍ଧନ ଦାସ : ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ହୀରାପୁର ସ୍ଥିତ ଗଡ଼କଣ୍ଟୁଣିଆ ଠାରେ ଆବିର୍ଭୁତ ହୋଇଥିବା ଚକ୍ରରାଜ ଶ୍ରୀ ସୁଦର୍ଶନ ଦାରୁସ୍ଥଳୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ମାଣଧିନ ଏକ ଭବ୍ୟମନ୍ଦିର ଆସନ୍ତା ୧୯ ତାରିଖରେ ପ୍ରତିଷ୍ଠା ହେବ l ଏଥିପାଇଁ ଆଖପାଖ ଅଞ୍ଚଳବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଉକ୍ତ ଭବ୍ୟ ମନ୍ଦିର ର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏବେ ଟ୍ରେଣ୍ଡ୍ ଅଛି । ୨0୧୫ ନବକଳେବର ସମୟରେ ଏଠାରେ ଶ୍ରୀ ସୁଦର୍ଶନଙ୍କ ଦାରୁ ଆବିର୍ଭାବ ହୋଇଥିଲା l ଦାରୁ ଉତ୍ପତି ସ୍ଥଳୀରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ସେତେବେଳେ ପୁରୀ ଦଇତାପତି ମାନେ କହିଥିଲେ l ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଦଇତାପତି ଏବଂ ବଡ଼ ପଣ୍ଡାଙ୍କ ନିର୍ଦ୍ଦେଶାନୁସାରେ ନିର୍ମାଣ କାମ ଚାଲୁରହିଛି l ଆଉ ମାତ୍ର କିଛି ଦିନ ପରେ ଦୀର୍ଘ ୧୧ ବର୍ଷର ପରିଶ୍ରମ ଆଜି ସଫଳ ହେବାକୁ ଯାଉଛି l ମନ୍ଦିର ନିର୍ମାଣ ନିମନ୍ତେ ୧୨ ସହ ବଢ଼େଇଙ୍କ ଭଳି ଦିନରାତି ଏକ କରିଦେଇଛନ୍ତି ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତା l କିଛି ଜଗନ୍ନାଥ ପ୍ରେମୀଙ୍କ ଅନୁଦାନ, ସରକାରୀ ଅନୁଦାନ ଏବଂ କିଛି ଉଦ୍ୟୋକ୍ତାଙ୍କ ସାହାଯ୍ୟ ସହଯୋଗରେ ପୁଣ୍ୟତୋୟା କୁଆଖାଇ ନଦୀ ପଠାରେ ଆଜି ଶ୍ରୀ ଜଗନ୍ନାଥଙ୍କ ୬୧ ଫୁଟର ମନ୍ଦିର ଦଣ୍ଡାୟମାନ l ବହୁ ବାଧାବିଘ୍ନ ଏବଂ ବହୁ ସମାଲୋଚନାରୁ ଉର୍ଦ୍ଧ୍ଵରେ ରହି ଶେଷରେ ସଫଳତା ସହ ପହଞ୍ଚିଛନ୍ତି l ମନ୍ଦିର ନିର୍ମାଣରେ ଏହି କର୍ମକର୍ତ୍ତାଙ୍କ ଭୂମିକା ଅବର୍ଣ୍ଣନୀୟ l ସତେ ଯେମିତି ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବାରେ ଏମାନେ ନିଜକୁ ସମର୍ପିତ କରିଛନ୍ତି l ମନ୍ଦିର ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତୀରେ ଲାଗିପଡିଛନ୍ତି କର୍ମକର୍ତ୍ତା l ଏହି ମନ୍ଦିର ନିର୍ମାଣରେ ନୟାଗଡ଼ ଜିଲ୍ଲାର ପ୍ରାୟ ୪0 ଜଣ କାରିଗର ନିୟୋଜିତ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତି ଦାରୁ ବିଗ୍ରହ ନିର୍ମାଣ ନିମନ୍ତେ ପୁରୀରୁ ୪ ଜଣ ମହାରଣା ସେବକ ନିୟୋଜିତ ହୋଇଛନ୍ତି l ମନ୍ଦିରର ଦଧିନଉତି ଠାରୁ ଆରମ୍ଭ କରି ଗର୍ଭଗୃହ, ଜଗମୋହନ, ଭୋଗମଣ୍ଡପ ବା ନାଟ୍ୟମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି l

ସେହିପରି ସିଂହଦ୍ୱାର, ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ, ବାଇଶିପାହାଚ, ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ମଧ୍ୟ ନିର୍ମାଣ ପ୍ରାୟତଃ ଶେଷ ପର୍ଯ୍ୟାୟରେ l ସିଂହଦ୍ୱାରର ବାମ ପାର୍ଶ୍ୱରେ ଶ୍ରୀ ମହାବୀର , ଦକ୍ଷିଣପାର୍ଶ୍ୱରେ ଶ୍ରୀ ପତିତପାବନ ଏବଂ ବାଇଶି ପାହାଚ ନିକଟରେ ଶ୍ରୀ ଶ୍ରୀ କାଶୀ ବିଶ୍ୱନାଥ, ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ମା’ ବିମଳା, ମା’ ଲକ୍ଷ୍ମୀ, ଶ୍ରୀ ନୃସିଂହନାଥ ଏବଂ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଇବେ l ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପୂଜା ନୀତିକ୍ରାନ୍ତି ଅନୁସାରେ ଏହି ମନ୍ଦିରରେ ପୂଜନୀତି କରାଯିବ ବୋଲି ଜଣାପଡିଛି l ଆସନ୍ତା ୧୯ ତାରିଖରୁ ୨୪ ତାରିଖ ଆଦି ୬ ଦିନ ବ୍ୟାପି ଏଠାରେ ଠାକୁରଙ୍କ ବିଭିନ୍ନ ପୂଜାବିଦ୍ଧି ଅନୁଷ୍ଠିତ ହେବ l ପ୍ରଥମ ଦିନ ଅଙ୍କୁରୋପଣ, ଦ୍ଵିତୀୟ ଦିନ କର୍ତ୍ତା ମାନଙ୍କ ଦ୍ୱାରା କଳସ ଯାତ୍ରା, ତୃତୀୟ ଓ ଚତୁର୍ଥ ଦିନ ଠାକୁରଙ୍କ ଅନ୍ୟାନ୍ୟ ନୀତିକ୍ରାନ୍ତି ପରେ ପଞ୍ଚମ ଦିନ ଷୋଡଶ ଉପଚାର ସାଙ୍ଗକୁ ମନ୍ଦିର ଓ ରତ୍ନ ସିଂହାସନ ପ୍ରତିଷ୍ଠା ସହ ଶ୍ରୀ ଜିଉ ମାନଙ୍କ ଜୀବନ୍ୟାସ ପର୍ବ ଅନୁଷ୍ଠିତ ହେବ l ଏବଂ ଶେଷ ଦିନ ଅର୍ଥାତ ୨୪ ତାରିଖରେ ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମାତା ସୁଭଦ୍ରା, ଶ୍ରୀ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିବେ l ପରେ ପରେ ଅନ୍ୟ ଦେବଦେବୀଙ୍କୁ ସ୍ୱ ମନ୍ଦିରରେ ବିରାଜମାନ କରାଯିବ l ଏଥିପାଇଁ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତୀ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି l ମହାପ୍ରଭୁଙ୍କ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୁରୀ ଦଇତାପତି, ବାଡ଼ଗ୍ରାହୀ ସମେତ ବଡ଼ପଣ୍ଡା ମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି l ସେହିପରି ଏହି ମନ୍ଦିରର ପ୍ରତିଷ୍ଠା ନିମନ୍ତେ ଆଖପାଖ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଏବଂ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେବ l ସେମାନଙ୍କ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆୟୋଜକ ମାନେ ପ୍ରସ୍ତୁତ ଅଛନ୍ତି l ଶେଷ ଦିବସରେ ଭକ୍ତଙ୍କ ଆଗମନକୁ ଲକ୍ଷ ରଖି ସେମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଛି l ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିପାଇଁ କୌଣସି ଶ୍ରଦ୍ଧାଳୁ କିମ୍ବା ଉଦ୍ୟୋକ୍ତା ସାହାଯ୍ୟ ସହଯୋଗ କରିବାକୁ ଚାହୁଁଥିଲେ ଟ୍ରଷ୍ଟ ସହ ଯୋଗାଯୋଗ କରିବାକୁ କର୍ମକର୍ତ୍ତା ଅନୁରୋଧ କରିଛନ୍ତି l
ଗୋବର୍ଦ୍ଧନ ଦାସ ,ବାଲିଅନ୍ତା