ଚିଲିକା, ୩୧। ୮:ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ-୨୦୨୬ ମହା ସମାରୋହରେ ପାଳନ କରାଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ ।ଏହି ଅବସରରେ ସେ କହିଥିଲେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଜାଗା ମିଶନ, ମୁକ୍ତା, ଆହାର, ଆମ ବସ୍, ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ଲୋକାଭିମୁଖୀ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି ସରକାର। ସମୃଦ୍ଧ ସହର ଯୋଜନା ମାଧ୍ୟମରେ ସହରୀକରଣ ଓ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ଉନ୍ନତ ରାସ୍ତା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା, ଆଲୋକୀକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଶିଳ୍ପ ନଗର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୨୦୩୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ସହରକୁ ସମୃଦ୍ଧ ସହର ଭାବେ ଗଢି ତୋଳିବା ହେଉଛି ସରକାରଙ୍କ ଲକ୍ଷ୍ୟ ।

ନଗରାଞ୍ଚଳ ବିକାଶରେ କାଉନସିଲର ଓ ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ହେଉଛନ୍ତି ଜନସାଧାରଣଙ୍କ ସବୁଠୁ ନିକଟତମ ଜନପ୍ରତିନିଧି ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଶ୍ରୀ ଭଗବାନ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରାଣନାଥ ସେଠ୍ ଙ୍କ ସମେତ ସମସ୍ତ କାଉନସିଲର, କର୍ମଚାରୀ ଓ ସ୍ଥାନୀୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି