ବାଲିଅନ୍ତା,୧୪|୭(ଗୋବର୍ଦ୍ଧନ ଦାସ):ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁସଂଗଠିତ ଭାବେ ପାଳନ କରିବା ଲକ୍ଷ୍ୟରେ “ଯୁବଶକ୍ତି ଟ୍ରଷ୍ଟ” ପକ୍ଷରୁ ଆଜି ପୂର୍ବାହ୍ନ ୯ ଟାରେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ଯୁବ ଶକ୍ତି ଟ୍ରଷ୍ଟର ପ୍ରତିଷ୍ଠାତା ଅମିତ ମଲ୍ଲିକ୍ ଉପସ୍ଥିତ ରହି ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା ପାଳନ ପାଇଁ ସଚେତନ କରାଇଥିଲେ । ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଆସ୍ଥା, ଭକ୍ତି, ଶୃଙ୍ଖଳା ଓ ମାନବିକତାର ଏକ ମହାନ ସଙ୍ଗମ ବୋଲି ଅଭିହିତ କରିଥିଲେ । ପ୍ରତ୍ୟୋକ ଭକ୍ତ ସଚେତନ ରହି ପ୍ରଶାସନକୁ ସହଯୋଗ କଲେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ । ସାମାଜିକ ସଂଗଠନ ଭାବେ ଯୁବ ଶକ୍ତି ଟ୍ରଷ୍ଟ ଆଗାମୀ ଦିନରେ ମଧ୍ୟ ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସେ କହିଥିଲେ

ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ସ୍ୱେଚ୍ଛାସେବୀ ଯୋଗ ଦେଇ ଭକ୍ତମାନଙ୍କୁ ସଚେତନ କରିଥିଲେ । ଏହା ସହ ପ୍ରାୟ ଶତାଧିକ ଯାତ୍ରୀଙ୍କୁ ଏକ କିଟ୍ ପ୍ରଦାନ କରାଯାଇଥିଲା। ସେହି କିଟ୍ରେ ପିଇବା ପାଣି, ଖରା ଦାଉରୁ ସୁରକ୍ଷା ପାଇବା ପାଇଁ କ୍ୟାପ୍ ଏବଂ ରଥଯାତ୍ରା ସମୟରେ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ୍ ସେ ସମ୍ପର୍କିତ ସଚେତନତା ଲିଫ୍ଲେଟ୍ ରହିଥିଲା । ଶିବିରରେ ଟ୍ରଷ୍ଟର ସ୍ୱେଚ୍ଛାସେବୀ ମାନେ ଟ୍ରାଫିକ୍ ନିୟମ ପାଳନ କରିବା, ରାସ୍ତାରେ ଅନାବଶ୍ୟକ ଭିଡ ନକରିବା, ପୋଲିସ ଓ ଶ୍ରୀ ଜଗନ୍ନାଥ ପ୍ରଶାସନଙ୍କ ନିର୍ଦ୍ଦେଶ ମାନିବା ଏବଂ ପରସ୍ପରକୁ ସହଯୋଗ କରିବା ପାଇଁ ଭକ୍ତମାନଙ୍କୁ ସଚେତନ କରିଥିଲେ । ଏହା ସହ ଜରୁରୀ ପରିସ୍ଥିତିରେ ପ୍ରଶାସନର ସହାୟତା ନେବା ଓ ହେଲ୍ପଲାଇନ୍ ନମ୍ବରର ବ୍ୟବହାର ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ରଥଯାତ୍ରା ସମୟରେ ଯାତାୟାତ ବ୍ୟବସ୍ଥା ସୁଚାରୁ ରହିବା ଏବଂ ସମସ୍ତେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ, ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ଶକ୍ତି ଟ୍ରଷ୍ଟର ସମସ୍ତ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ଭକ୍ତମାନଙ୍କୁ ସଚେତନ କରିବା ସହ ଏକ ଶୃଙ୍ଖଳିତ, ସୁରକ୍ଷିତ ଓ ସଫଳ ରଥଯାତ୍ରା ପାଇଁ ସହଯୋଗ କରିଥିଲେ ।