ବାଲିଅନ୍ତା, ୫|୪:ସାମାନ୍ୟ ବଚସାରୁ ଗତ କିଛି ଦିନ ତଳେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଏକ ବାର ନିକଟରେ ଗଣ୍ଡଗୋଳ ଘଟି ଜଣଙ୍କ ଛାତିରେ ମଦ ବୋତଲ ଭୁସି ଦେବା ଘଟଣା ନ ଥମୁଣୁ ଆଜି ଉକ୍ତ ସ୍ଥାନରେ ଚାପୁଡ଼ା ମାଡ଼ରେ ଜଣେ ଯୁବକଙ୍କ କାନମୁଣ୍ଡା ଫାଟି ଯାଇଥିବା ଜଣାପଡିଛି l ଯୁବକ ଜଣଙ୍କ ହେଲେ ବାଳକାଟି ଅଞ୍ଚଳର ରାକେଶ ସାହୁ l ଖବରନେବାରେ ଜଣାପଡିଛି ଆଜି ସନ୍ଧ୍ୟାରେ ରାକେଶ ଏବଂ ତାଙ୍କ ସାଙ୍ଗ ଉକ୍ତ ବାରରେ ମଦ୍ୟପାନ କରୁଥିଲେ l ଏହି ସମୟରେ ରାକେଶ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ବଡ଼ ପାଟି କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l

ଏହାକୁ ନେଇ ସେଠାରେ ଉପସ୍ଥିତ ଶିଶୁପାଳଗଡ଼ ଅଞ୍ଚଳର କିଛି ଯୁବକ ବିରୋଧ କରିବା ସହ ଏତେ ଯୋରରେ ପାଟି ନ କରିବାକୁ କହିଥିଲେ l ମାତ୍ର ରାକେଶ ସେମାନଙ୍କ କଥା ମାନି ନଥିଲା l ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଶିଶୁପାଳଗଡ଼ ଅଞ୍ଚଳର ଜଣେ ଯୁବକ ରାକେଶର ଗାଲକୁ ଚାପୁଡ଼ା ମାରିଥିଲା l ଫଳରେ ରାକେଶର କାନରୁ ରକ୍ତ ବାହାରିଥିଲା l ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଏହି ଘଟଣାକୁ ନେଇ ଫାଣ୍ଡିରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି l