କଳାହାଣ୍ଡି,୬|୪(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲାରେ ଏଲ୍ପିଜି ସିଲିଣ୍ଡରର କଳାବଜାରୀ ଏବେ ଚରମ ସୀମାରେ ପହଞ୍ଚିଛି । ସାଧାରଣ ଲୋକଙ୍କୁ ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଇବା ପାଇଁ ଜିଲ୍ଲାପାଳ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ହେଁ, ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ବିଶେଷକରି ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ସ୍ଥିତିର ଆଳ ଦେଖାଇ ଦଲାଲମାନେ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଏକ ସଂଗଠିତ ଚୋରା କାରବାର ଚଳାଇଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ, ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ‘ଉଜ୍ଜଳା ଯୋଜନା’ର ସିଲିଣ୍ଡର ଏବେ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ ଓ ଫାଷ୍ଟଫୁଡ୍ ସେଣ୍ଟର ଗୁଡ଼ିକରେ ବହୁଳ ଭାବେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ଥିବା ଉଜ୍ୱଳା ଉପଭୋକ୍ତାମାନେ ପୂର୍ବରୁ ସିଲିଣ୍ଡର ରିଫିଲ୍ କରୁ ନ ଥିବା ବେଳେ, ଏବେ ଦଲାଇଙ୍କ ପ୍ରରୋଚନାରେ ସମସ୍ତେ ସିଲିଣ୍ଡର ବୁକିଂ କରୁଛନ୍ତି | ଦଲାଲମାନେ ଖାଉଟିଙ୍କୁ ସିଲିଣ୍ଡର ପିଛା ଅତିରିକ୍ତ ୫୦୦ ଟଙ୍କା ଲୋଭଦେଖାଇ ପ୍ରାୟ ୧୫୦୦ ଟଙ୍କାରେ ସିଲିଣ୍ଡର କିଣି ନେଉଛନ୍ତି । ପରବର୍ତ୍ତୀ ସମୟରେ ଏହି ଘରୋଇ ସିଲିଣ୍ଡରଗୁଡ଼ିକୁ କଳାହାଣ୍ଡି ଜ଼ିଲ୍ଲାର ବିଭିନ୍ନ ସହରକୁ ଅଣାଯାଇ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ଅଢ଼େଇ ରୁ ୩ ହଜାର ଟଙ୍କାରେ ବିକ୍ରି କରାଯାଉଛି । ମର୍ସିଆଇ ସିଲିଣ୍ଡର (୧୯ କେଜି) ର ଦର ଘରୋଇ ସିଲିଣ୍ଡର ତୁଳନାରେ ଅଧିକ ହୋଇ ଥିବାରୁ ବ୍ୟବସାୟୀମାନେ ଅଧିକ ମୁନାଫା ଆଶାରେ ଏହି ଚୋରା ସିଲିଣ୍ଡରକୁ ଆପଣେଇ ନେଉଛନ୍ତି ।ଜ଼ିଲ୍ଲା ର ବିଭିନ୍ନ ସହର ର ଗଳିକନ୍ଦିରେ ଥିବା ଫାଷ୍ଟଫୁଡ୍ ସେଣ୍ଟରଗୁଡ଼ିକରେ ଦିନ ପ୍ରହରରେ ଘରୋଇ ସିଲିଣ୍ଡର ବ୍ୟବହାର ହେଉଥିଲେ ହେଁ ଯୋଗାଣ ବିଭାଗ କିମ୍ବା ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ କୌଣସି କଡ଼ା ଚଢଉ କରାଯାଉ ନାହିଁ । ଏହି ଚୋରା କାରବାର ଯୋଗୁଁ ସରକାରୀ ରିହାତିର ଅପବ୍ୟବହାର ହେବା ସହ ପ୍ରକୃତ ତାଧିକାରୀମାନେ ଗ୍ୟାସ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି କଳାବଜାରୀ ଉପରେ ରୋକ୍ ନ ଲଗାଗଲେ ଆଗାମୀ ଦିନରେ ସାଧାରଣ ଖାଉଟିମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି