କଳାହାଣ୍ଡି,୮|୪(ପ୍ୟାରିଲାଲ ଦୁର୍ଗା): ଆଜି କଳାହାଣ୍ଡିର ପ୍ରାକୃତିକ ପରିବେଶ ସୁରକ୍ଷା ଓ ଅନୁସୂଚିତ ଅଂଚଳରେ ପେସା ଆଇନ ଲାଗୁ କରିବା ତଥା ସଂଗ୍ରାମୀ ଲିଙ୍ଗରାଜ ଆଜାଦ ଓ ତାଙ୍କ ସାଥୀ ମାନଂକୁ ନିଃସର୍ତ୍ତ ଖଲାସ ଦାବୀରେ ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାପାଇଁ ନିଷ୍ପତ୍ତି ହୋଇଥିଲା |କଳାହାଣ୍ଡି ଜଳ-ଜମି- ଜଙ୍ଗଲ-ପରିବେଶ ସୁରକ୍ଷା ସମିତି ତରଫରୁ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ପତ୍ର ହାସଲ କରିଥିଲେ
ହେଲେ କାଶୀପୁର ଅଂଚଳରେ ଆଇନ ଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ଓ କଳାହାଣ୍ଡିରୁ ବହୁମାତ୍ରାରେ ପୋଲିସ ବଳ କାଶୀପୁର ଯାଉଥିବାରୁ ଏଠି ଧାରଣା ପାଇଁ ପୋଲିସ ସୁରକ୍ଷା ଯୋଗାଇବା ସମ୍ଭବ ନୁହେଁ ବୋଲି ଗତକାଲି ଜିଲ୍ଲା ପ୍ରଶାସନ ଉକ୍ତ ଅନୁମତି ପତ୍ର କୁ ଖାରଜ କରିଥିଲେ | ତେଵେ ଏହା ଆନ୍ଦୋଳନ ବନ୍ଦ କରିବା ପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନର ଏକ ସୁପରିକଳ୍ପତ ଷଡଯନ୍ତ୍ର ବୋଲି କିଛି ସଂଗ୍ରାମୀ ସାଥୀ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ | ସେମାନେ ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟ!ଳୟ ବାହାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସାରିବା ପରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ରାଜ୍ୟ ସଭାପତି ତଥା ଚାଷୀ ନେତା ଲିଙ୍ଗରାଜ ପ୍ରଧାନ କଳାହାଣ୍ଡିରେ ଚାଲିଥିବା ଖଣିଖାଦାନ ଓ ପ୍ରାକୃତିକ ସମ୍ପଦର ସରକାରୀ ଲୁଟ ଓ ସେଥିପାଇଁ ସାଧାରଣ ଆଦିବାସୀଙ୍କ ଉପରେ ପୋଲିସ ଜୁଲୁମକୁ ତୀବ୍ର ନିନ୍ଦା କରିଥିଲେ |ଲିଙ୍ଗରାଜ ଆଜାଦ ଭଳି ଜଣେ ପରିବେଶ ବିତ ଓ ତାଙ୍କ କୋଡିଏ ଜଣ ସାଥୀ ଙ୍କୁ ମିଥ୍ୟା କେସରେ ଗିରଫ କରି ଜେଲ ପଠାଇବା ଘଟଣା ଅସାମ୍ବିଧାନିକ ଓ ବେଆଇନ କାର୍ଯ୍ୟ | ତେଣୁ ପୋଲିସ ଏଭଳି କାର୍ଯ୍ୟରୁ କ୍ଷାନ୍ତ ରହିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ | ସେହିଭଳି ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ଗଣତନ୍ତ୍ର ବ୍ୟବସ୍ଥାରେ ସାଧାରଣ ମଣିଷ ଟିଏ କାହିଁକି କୌଣସି ଅନ୍ୟାୟ ର ପ୍ରତିବାଦ ସର୍ବ ସାଧାରଣରେ ଜଣାଇ ପାରିବ ନାହିଁ କହି ପ୍ରଶ୍ନ କରିଥିଲେ | ଆଜି କଳାହାଣ୍ଡିରେ ଖଣି, ପାଣି, ଜଳ, ଜମିନ, ଜଙ୍ଗଲ କୁ ପ୍ରଶାସନ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଲୁଟ କରୁଛି | ଏ ଦିଗରେ ପ୍ରଶାସନ ମାଫିଆ ମାନଂକୁ ସାହାଯ୍ୟ କରୁଛନ୍ତି |ଏହାକୁ ପ୍ରତିବାଦ କଲେ ଜିଲ୍ଲା ପୋଲିସ କମ୍ପାନୀ ମାନଙ୍କ ଦଲାଲି ସାଜି ସାଧାରଣ ଜନତା ଉପରେ ଅମାନୁଷିକ ଭାବେ ନିର୍ମମ ଅତ୍ୟାଚାର କରୁଛି |

ଲୋକଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରି ଜେଲ ପଠାଇ ଦିଆ ଯାଉଛି | ତେଵେ ଏ ଘଟଣା କୁ ଆଦୌ ବରଦାସ୍ତ କରାଯିବ ନାହିଁ | କଳାହାଣ୍ଡି ମାଟିର ଲୁଟତରାଜ, ମାଫିଆ ରାଜ, ଓ ପୋଲିସ ଜୁଲୁମ ବିରୁଦ୍ଧରେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ |ପରେ ସମିତି ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ 4 ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା. ଦାବୀ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜଳ ଜମି ଜଙ୍ଗଲ ଓ ପରିବେଶର ଉପଯୁକ୍ତ ସୁରକ୍ଷା, ସମ୍ବିଧାନର ପଞ୍ଚମ ପରିଚ୍ଛେଦରେ ଉଲ୍ଲେଖ ଥିବା ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକର ଆଦିବାସୀ ମାନଙ୍କ ସାମାଜିକ, ସାଂସ୍କୃତିକ ଅଧିକାରର ଉପଯୁକ୍ତ ସୁରକ୍ଷା, ଲିଙ୍ଗରାଜ ଆଜାଦ ସମେତ ଅନ୍ୟ 22 ଜଣ ଜନ ଆନ୍ଦୋଳନକାରୀଙ୍କୁ ନିସର୍ତ୍ତ ଖଲାସ, ଓ ଉକ୍ତ ଦୁଇ ବ୍ଲକରେ ତୁରନ୍ତ ପେସା ଆଈନ ଲାଗୁ କରିବାକୁ ଦାବୀ କରାଯାଇଥିଲା | ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ର ସଭାପତି ସତ୍ୟ ମାହାର, ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ରାଜ୍ୟ ସହ ସମ୍ପାଦକ ଦିଗାମ୍ବର ଦୁରିଆ, ଟିଟିଲାଗଡ଼ ର ସାଥୀ ବାଲକୃଷ୍ଣ ଷଣ୍ଢ, ଆବାହକ ସିଦ୍ଧାର୍ଥ ନାଏକ, ଲୋକ ଶକ୍ତି ଅଭିଯାନ ର ସାଧାରଣ ସମ୍ପାଦକ କଲ୍ୟାଣ ଆନନ୍ଦ,ନିୟମ ଗିରି ଆନ୍ଦୋଳନ ର କୃଷ୍ଣ ଶିକକ୍କା, ଉପେନ୍ଦ୍ର ଦ୍ରାବିଡ଼, କେସିଙ୍ଗା ସ୍ୱାଭିମାନ ଆନ୍ଦୋଳନର ସୁରେଶ ରାଓ, ସିପିଆଇ ର ଜିଲ୍ଲା ସମ୍ପାଦକ ଜଗଦ୍ଦିଷ ଦୁର୍ଗା, ଭବାନୀପାଟଣା ବସ୍ତି ଆନ୍ଦୋଳନର ନେତ୍ରୀ କବିତା ରାଉତ, ନିରୋଦ ରାଉତ, ବରଗଡ଼ ର ଚାଷୀନେତା କିଶୋର ସାହୁ, ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଫରୱାର୍ଡ ବ୍ଲକ ଜିଲ୍ଲା ସମ୍ପାଦକ ଗୟା ପୂଝରୀ, ସିଡୁଲଡ଼ କାଷ୍ଟ ଫେଡେରେସନ ର ଅଭିରାମ ସାଗର, ବିଜୟ ଦୀପ, ଆଦିବାସୀ ନେତା ଦୁର୍ଯ୍ୟୋଧନ ମାଝୀ, ବିମ୍ବାଧର ବୈଠରୁ, ନବ ନିର୍ମାଣ କୃଷକ ସଂଗଠନ ର ନେତା ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଲଜ୍ୟା ର ବିଷୟ କଳାହାଣ୍ଡିରେ ଅଧିକାଂଶ ପୋଲିସ ରାୟଗଡା ଯାଉଥିବା କହି ଆଜିର ଗଣଧାରଣାର ଅନୁମତି ପତ୍ରକୁ ଖାରଜ କରିଥିବା କଳାହାଣ୍ଡି ପୋଲିସ ଆଜିର ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ନିୟମଗିରି, ସିଜିମାଳୀ, ଓ ଖଣ୍ଡୁଆଳ ମାଳି ର ଆସୁଥିବା ଶତାଧିକ ଆଦିବାସୀ ମାନଂକୁ ଅଧା ରାସ୍ତାରେ ଅଟକ ରଖି ଆନ୍ଦୋଳନ ଅନୁମତି ଖାରଜ ହୋଇଯାଇଛି ବୋଲି ସେମାନଂକୁ ରାସ୍ତାରୁ ଫେରାଇ ଦେଇଥିଲେ | ଅନ୍ୟପଟେ ଶତାଧିକ ପୋଲିସ ବଳ ଆଜି ଜିଲ୍ଲାପାଳ ଅଫିସ ଆଗରେ ଆନ୍ଦୋଳନ କର୍ମୀ ଙ୍କୁ ଘେରି ରହିଥିବାରୁ ପୋଲିସ ର ଏଭଳି କାର୍ଯ୍ୟକୁ ସମବେତ ଜନତା ନିନ୍ଦା କରିଥିଲେ |

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି