ବାଲିଅନ୍ତା, ୨୫/୦୬ (ଗୋବର୍ଦ୍ଧନ ଦାସ) : ଦୟାନଦୀ ର ଇତିହାସ ଅତି ପ୍ରାଚୀନ ଓ ବିଶ୍ଵ ପରିଚିତ ତା’ର ମହାନତା । ଦୟାନଦୀ କୂଳରେ ଅବସ୍ତିତ ବିଶ୍ଵଶାନ୍ତି ସ୍ତୁପ ଧଉଳିଗିରି ଏହାର ମୂକ ସାକ୍ଷୀ। ରକ୍ତ ରଞ୍ଜିତ ଦୟାନଦୀ କୁ ଦେଖି ଚଣ୍ଡାଶୋକ ଧର୍ମାଶୋକ ରେ ପରିବର୍ତ୍ତନ ହୋଇଥିଲେ । ହେଲେ ଆଜିର ଏ ଶିକ୍ଷିତ ଜ୍ଞାନି ସମାଜ ଦୟାନଦୀ ପ୍ରତି କେତେ ନିର୍ଦ୍ଦୟ । ଦୟାନଦୀ ଏହି ଅଞ୍ଚଳର ଜୀବନ ରେଖା କିନ୍ତୁ ସରକାରଙ୍କ ଉଦାସୀନତା ଓ ଶିକ୍ଷିତ ସମାଜ ର ଋଗୃଣ ମାନସିକତାର ପରିଣାମ ଭୋଗୁଛି ଦୟାନଦୀ ଓ ଦୟାନଦୀ କୂଳର ବାସିନ୍ଦା । ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ପ୍ରକାରର ବର୍ଜ୍ୟବସ୍ତୁ ଦୟା ସେତୁ ଉପରୁ ନଦୀ ଗର୍ଭକୁ ଫିଙ୍ଗିବା ଦ୍ଵାରା ଆଜି ଦୟାନଦୀ ତାର ଅସ୍ତିତ୍ବ ହରାଇବାକୁ ବସିଲାଣି । ଜଳଚର ପ୍ରାଣୀମାନେ ମୃତ୍ୟୁବରଣ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।

ଚାଷ ଜମି ରେ ଜଳସେଚନ ପାଇଁ ଏହା ଉପଯୁକ୍ତ ନୁହେଁ ବୋଲି ବିଶେଷଜ୍ଞ ମାନେ ମତପ୍ରକାଶ କରିଲଣି। ପ୍ଲାଷ୍ଟିକ, ପଲିଥିନ୍ , କେମିକାଲ ରଙ୍ଗର ବସ୍ତ୍ର ,ବସ୍ତୁ ନଦୀ ଗର୍ଭକୁ ଫିଙ୍ଗିବା ଦ୍ଵାରା ଏହା ବର୍ଷ ବର୍ଷ ଧରି ନଷ୍ଟ ନହୋଇ ନଦୀ ର ପାଣି କୁ ବିଷାକ୍ତ କରୁଛି । ଦୟାନଦୀ ର ପୂର୍ବ ଗୈାରବ ଫେରାଇ ଆଣିବାକୁ ଆଞ୍ଚଳିକ ବିକାଶ ପରିଷଦ ର ପ୍ରୟାସ । ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ସାମାଜିକ ଅନୁଷ୍ଠାନ ପୂଜା ପାର୍ବଣ ପରେ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ନଦୀ ଗର୍ଭକୁ ଫିଙ୍ଗିବାର ଅନେକ ନଜିର ଅଛି । ଶିକ୍ଷିତ ଜ୍ଞାନି ବୋଲାଉଥିବା ମଣିଷ ନିଜ ଘରକୁ ରାଜମହଲ ପରି କରିଥାଏ କିନ୍ତୁ ଘର ର ପୂଜା ପାର୍ବଣ ପରେ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏକାଠି କରି ପଲିଥିନ ରେ ବାନ୍ଧି ନଦୀ ଗର୍ଭକୁ ଫିଙ୍ଗିଦିଏ । ନଦୀ କ’ଣ ବର୍ଜ୍ୟବସ୍ତୁ ଫିଙ୍ଗିବା ପାଇଁ ବ୍ୟବହାର କରାଯାଏ ??? ଏହା କେଉଁ ପ୍ରକାରର ଧର୍ମୀୟ ଭାବନା , ଏଥିରେ କେଉଁ ପ୍ରକାରର ଭାବାବେଗକୁ ବୁଝାଇଥାଏ , ଏହା କେଉଁ ପ୍ରକାରର ମାନସିକତାର ପରିଚୟ ??? ଆଜିର ଦିନରେ ଏକ ବଡ଼ ପ୍ରଶ୍ନ । ଏ ନେଇ ଆଜି ସକାଳ ସାଢ଼େ ଛ’ଟାରୁ ଆରମ୍ଭ ହୋଇଥିଲା ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦିବସ ଦୟାନଦୀ ସଫେଇ କାର୍ଯ୍ୟକ୍ରମ। ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା।

ଦୟା ସେତୁ ତଳେ ଜମା େହାଇଥିବା କୁଢ଼ କୁଢ଼ ଆବର୍ଜନାକୁ ସ୍ବେଚ୍ଛାସେବୀ ମାନେ ସଫା କରିବା ସହ ନଦୀର ଜଳକୁ ସ୍ବଚ୍ଛ ରଖିବା ପାଇଁ ‘ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା’ର ନାରା ଦେଇଥିଲେ। ଦୟାସେତୁ ଦେଇ ଯାଉଥିବା ପଥିକ ଏବଂ ନଦୀ ଗର୍ଭକୁ ଆବର୍ଜନା ଫିଙ୍ଗୁଥିବା ଲୋକଙ୍କୁ ‘ନଈ ଆମର ମା’, ତା’ ଜଳକୁ ଅପରିଷ୍କାର କରନ୍ତୁ ନାହିଁ’ ବୋଲି ବୁଝାଇଥିଲେ। ଏହି ସ୍ବଚ୍ଛତା କାର୍ଯ୍ୟକ୍ରରେ ପରିଷଦର ସଦସ୍ୟମାନଙ୍କ ସହ ସ୍ଥାନୀୟ ଅଞ୍ଚଳର ଶତାଧିକ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ଅକ୍ଷୟ ସ୍ବାଇଁ, ସଂପାଦକ ଅରୁଣ ପୁରୋହିତ, ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମିଶ୍ର, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ,ସୁମନ୍ତ ସୁବୁଦ୍ଧି, ଜିତେନ୍ଦ୍ର ଜେନା, ଶରତ ବିଶ୍ବାଳ, ବୁଲେଟ୍ ମାନସିଂ, ସାମାଜିକକର୍ମୀ ବିଜନ ସାମନ୍ତରାୟ, ପ୍ରକାଶ ସାହୁ, ନିରଞ୍ଜନ ନାୟକ ,ଭଗବାନ ସାହୁ , ଘନଶ୍ୟାମ ବେହେରା ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟଟି ସୁସମ୍ପାଦିତ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ‘କ୍ଲିନ୍ଅପ ଭୁବନେଶ୍ବର’ ଓ ‘ଆଞ୍ଚଳିକ ବିକାଶ ପରିଷଦ’ ମିଳିତ ଭାବେ ଦୟାନଦୀରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରିଆସୁଛନ୍ତି।