ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ

ଚିଲିକା:ବାଣପୁର ଚିଲିକା ଅଞ୍ଚଳ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସାହିତ୍ୟ ସିନ୍ଦୁରା ପକ୍ଷରୁ ୧୩ଶ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ବାଣପୁର ଵିଧାରପୁରସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ବହୁ ସାରସ୍ଵତ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ସମାବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ମା’ ଭଗବତୀ ଓ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା।ବିଶିଷ୍ଟ କବି ତଥା ପ୍ରାକ୍ତନ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ଅଧ୍ୟକ୍ଷତାରେ ଏଵଂ ପ୍ରତିଷ୍ଠିତ କବି ତଥା ସପ୍ତଫେଣୀ ପତ୍ରିକାର ସମ୍ପାଦକ ଗୋପୀନାଥ ଦାଶ ଏବଂ ଗୀତିକାର ଦିଗମ୍ବର ବିଶ୍ଵାଳଙ୍କ ମିଳିତ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ପୁରୁଷୋତ୍ତମ ମହାପାତ୍ର, ଭିକାରୀ ଚରଣ ପ୍ରଧାନ,ରଙ୍କନାଥ ସେଠୀ, ସନ୍ଧ୍ୟା ଦେବୀ, ଶଶୀଭୂଷଣ ବରାଳ, ପ୍ରହଲ୍ଲାଦ ବେହେରା, ସୁଶାନ୍ତ କୁମାର ଦାଶ,ବିମଳା ସିଂ, ଆନନ୍ଦ ଚନ୍ଦ୍ର ସେନାପତି, ଶିବ ସୁନ୍ଦର ପଟ୍ଟନାୟକ, ଗୋପୀନାଥ ଦାଶ ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ଓଡଆ ସଂସ୍କୃତିର ବଳିଷ୍ଠ ଵିଭାବ ଶାସ୍ତ୍ରୀୟ ଓଡ଼ିଶୀନୃତ୍ୟ ନୃତ୍ୟଶିଳ୍ପୀ ଅନନ୍ୟା ପ୍ରିୟଦର୍ଶିନୀ ଲେଙ୍କା ଏବଂ ଆଦ୍ୟାଶା ପଟ୍ଟନାୟକ ପରିବେଷଣ କରିଥିଲେ।

ଆଲୋଚନା ଚକ୍ର ଭିତ୍ତିକ ପରବର୍ତ୍ତୀ ଅଧିବେଶନ ଐତିହାସିକ ଓ ଗବେଷକ ମଦନ ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ପରିଷଦ ର ସମ୍ପାଦକ ଶିବ ସୁନ୍ଦର ପଟ୍ଟନାୟକ, କବୟତ୍ରୀ ବିମଳା ସିଂ, ଚିଲିକା ବାଣପୁର ଶାଖା ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ରଙ୍କନାଥ ସେଠୀ, ବରିଷ୍ଠ କବି ଓ ଗାଳ୍ପିକ ପୁରୁଷୋତ୍ତମ ମହାପାତ୍ର, ବାଣପୁରର ବରିଷ୍ଠ ନାଗରିକ ସଂଘର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର ପ୍ରମୁଖ ସେମାନଙ୍କ ସାରଗର୍ଭକ ବକ୍ତବ୍ୟ ମାଧ୍ୟମରେ ଓଡ଼ିଆ ଭାଷାର ପ୍ରାଚୀନତା, ଶାସ୍ତ୍ରୀୟ ମାନ୍ୟତା ପାଇବାର ଇତିହାସ ଓ ଓଡ଼ିଆ ଭାଷାର ବିକାଶରେ ସାରସ୍ଵତ ସାଧକ ମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟାବଳୀ ସମ୍ପର୍କୀୟ ସୂଚନା ପ୍ରଦାନ କରି ଶାସ୍ତ୍ରୀୟ ମାନ୍ୟତା ପାଇବାର ଵାର ବର୍ଷ ପରେ ମଧ୍ୟ ଏହାର ସମୃଦ୍ଧି ପାଇଁ ଭାଷା ଆୟୋଗ ଗଠନ ରେ ଅନିଶ୍ଚିତତା ଓ ଏହାର ଦାୟିତ୍ଵରେ ଥିବା ବିଭିନ୍ନ ପ୍ରତିଷ୍ଠାନ ମାନଙ୍କର ନିଷ୍କ୍ରିୟତା, ସରକାରୀ କାର୍ଯ୍ୟାଳୟରେ ଏୟାର ପ୍ରୟୋଗ ଏଯାବତ ହୋଇ ପାରି ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଏହି ଅବସରରେ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ କବି ଗୋପୀନାଥ ଦାଶଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡ଼ା ଉପସ୍ଥିତ ଅତିଥି , ସାରସ୍ଵତ ସାଧକ ଓ ସାହିତ୍ୟ ସଂସ୍କୃତି ପ୍ରେମୀ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page