ମହାନଦୀ ବଞ୍ଚାଓ ଆନ୍ଦୋଳନ

ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତରେ ବ୍ୟୟ ହୋଇଥିବା ୨.୪୧ କୋଟି ଟଙ୍କାର ସ୍ୱତନ୍ତ୍ର ଅଡିଟ୍ ଦାବି କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର, ୧ ଜୁଲାଇ ୨୦୨୬

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ନିକଟରେ ଏକ ବିସ୍ତୃତ ଜନସ୍ୱାର୍ଥ ସମ୍ବଳିତ ଦାବିପତ୍ର ଦାଖଲ କରାଯାଇଛି। ଏହି ଦାବି ପତ୍ରରେ ୨୬ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ସରକାର କରିଥିବା ₹୨,୪୧,୧୩,୯୫୦ ଟଙ୍କା ବ୍ୟୟର ସ୍ୱତନ୍ତ୍ର ବା ସ୍ପେଶାଲ ଅଡିଟ୍ ଓ କମ୍ପ୍ଲାଏନ୍ସ ଅଡିଟ୍ କରିବାକୁ ଅନୁରୋଧ କରାଯାଇଛି। ଏହି ଦାବିପତ୍ର ସମ୍ପୂର୍ଣ୍ଣ ଭାବରେ ସୂଚନା ଅଧିକାର ଆଇନ ଅନୁଯାୟୀ ଜଳ ସମ୍ପଦ ବିଭାଗରୁ ପ୍ରାପ୍ତ ସରକାରୀ ଦସ୍ତାବିଜ ଉପରେ ଆଧାରିତ। ଆରଟିଆଇ ଦସ୍ତାବିଜ ଅନୁସାରେ ଟ୍ରିବ୍ୟୁନାଲଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ମୋଟ ₹୨,୪୧,୧୩,୯୫୦ ଟଙ୍କା ମଞ୍ଜୁର କରିଥିଲେ। ସେଥିରୁ ₹୧,୪୫,୫୫,୪୮୦ ଉପର ମହାନଦୀ ଅଞ୍ଚଳ ଗସ୍ତ ପାଇଁ ଏବଂ ₹୯୫,୫୮,୪୭୦ ତଳ ମହାନଦୀ ଅଞ୍ଚଳ ଗସ୍ତ ପାଇଁ ବ୍ୟୟ କରାଯାଇଥିବା ଉଲ୍ଲେଖ ରହିଛି।

ଆରଟିଆଇ ମାଧ୍ୟମରେ ଉପର ମହାନଦୀ ଗସ୍ତର ବ୍ୟୟ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ମିଳିଥିବା ବେଳେ, ସେଥିରେ ଏମ.ଏମ. ଇଭେଣ୍ଟ ମ୍ୟାନେଜମେଣ୍ଟକୁ ପ୍ରାୟ ₹୮୪.୧୧ ଲକ୍ଷ, ମେ ଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟସ୍‌କୁ ₹୫୩.୯୫ ଲକ୍ଷ ସମେତ ଅନ୍ୟାନ୍ୟ ବ୍ୟୟର ବିବରଣୀ ରହିଛି। କିନ୍ତୁ ତଳ ମହାନଦୀ ଅଞ୍ଚଳ ପାଇଁ ଦର୍ଶାଯାଇଥିବା ₹୯୫.୫୮ ଲକ୍ଷ ବ୍ୟୟର ସବିଶେଷ ହିସାବ ଆରଟିଆଇରେ ପ୍ରଦାନ କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସିଏଜିଙ୍କୁ ଅନୁରୋଧ କରିଛି ଯେ ସମଗ୍ର ବ୍ୟୟ ସାଧାରଣ ଆର୍ଥିକ ନିୟମ (General Financial Rules), ଓଡ଼ିଶା ଆର୍ଥିକ ନିୟମ ଏବଂ ପ୍ରଚଳିତ କ୍ରୟ ପ୍ରକ୍ରିୟା ଅନୁଯାୟୀ ହୋଇଛି କି ନାହିଁ, ସରକାରୀ ଅର୍ଥ ବ୍ୟବହାରରେ ସଞ୍ଚୟ, ସ୍ୱଚ୍ଛତା ଓ ଆର୍ଥିକ ଶୃଙ୍ଖଳାର ନୀତି ପାଳନ କରାଯାଇଛି କି ନାହିଁ, ବେସରକାରୀ ସଂସ୍ଥାମାନଙ୍କୁ ନିୟୋଜନରେ ନିୟମାନୁସାରେ ପ୍ରକ୍ରିୟା ଅନୁସରଣ କରାଯାଇଛି କି ନାହିଁ ସେ ସମ୍ବନ୍ଧରେ ଯାଞ୍ଚ କରାଯାଉ ଏବଂ ତଳ ମହାନଦୀ ଗସ୍ତର ବ୍ୟୟର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଉ।

ଏହି ଅବସରରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି ଯେ ଏହି ଦାବିପତ୍ର କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ ଅଭିଯୋଗ ନୁହେଁ। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ଅର୍ଥର ସ୍ୱଚ୍ଛ ଓ ଜବାବଦେହିତାପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା। ସେ କହିଛନ୍ତି ଯେ ମହାନଦୀ ବିବାଦ କୋଟି କୋଟି ଲୋକଙ୍କ ଜଳ ନିରାପତ୍ତା, କୃଷି, ଜୀବିକା ଓ ପରିବେଶ ସହ ଜଡ଼ିତ ଥିବାରୁ ଏହି ସମ୍ବନ୍ଧୀୟ ପ୍ରତ୍ୟେକ ସରକାରୀ ବ୍ୟୟ ସମ୍ବିଧାନିକ ଅଡିଟ୍ ବ୍ୟବସ୍ଥାର ନିରୀକ୍ଷଣ ଅଧୀନକୁ ଆସିବା ଉଚିତ। ଏହି ଦାବିପତ୍ରର ନକଲ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ୍-୧), ଓଡ଼ିଶା, ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗର ପ୍ରଧାନ ସଚିବ, ଇଞ୍ଜିନିୟର-ଇନ୍-ଚିଫ୍, ଆକାଉଣ୍ଟାଣ୍ଟ ଜେନେରାଲ (A&E) ଓ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରେରଣ କରାଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସର୍ବଶ୍ରୀ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ଗିରିଜା ଶଙ୍କର ଦାସ, ପ୍ରସନ୍ନ ବିଶୋଇ, ପ୍ରଭାସିନୀ ରାଉତ, ମନୋଜ ଜେନା, ପ୍ରଦୀପ ପ୍ରଧାନ, ସଚିକାନ୍ତ ପ୍ରଧାନ ପ୍ରମୁଖ ସମ୍ବିଧାନିକ କର୍ତ୍ତୃପକ୍ଷ ଜନସ୍ୱାର୍ଥ, ସ୍ୱଚ୍ଛତା ଓ ଉତ୍ତମ ଶାସନର ସ୍ୱାର୍ଥରେ ଏହି ବିଷୟକୁ ନିରପେକ୍ଷ ଭାବରେ ତଦନ୍ତ କରିବାକୁ ଦାବି କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page