ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ବିସ୍ତୃତ ପଚରାଉଚରା ବେଳେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ରାଉରକେଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି।
କେ.ବଲାଙ୍ଗ ଥାନା ଅଧୀନସ୍ତ ସିଲକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗଚ୍ଛିତ ରଖିଥିବା ବିପୁଳ ଅସ୍ତ୍ର ଭଣ୍ଡାର କୁ ରାଉରକେଲା ପୋଲିସର ଡିଭିଏଫ୍ ଓ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଦଳର ମିଳିତ ଅଭିଯାନରେ ଠାବ କରାଯାଇଛି। ଅଭିଯାନ ସମୟରେ ସୁରକ୍ଷା ବାହିନୀ ଜଙ୍ଗଲରେ ବ୍ୟାପକ ତଲାସି କରି ଲୁଚାଇ ରଖାଯାଇଥିବା ଏହି ଜଙ୍ଗଲ ମଧ୍ୟରୁ ଏକ ୯ ମି.ମି. କାର୍ବାଇନ୍, ଏକ ଆଇଇଡି ପାଇଁ କଣ୍ଟେନର, ୧୫ଟି ଡିଟୋନେଟର, ୨୦ ରାଉଣ୍ଡ ୯ ମି.ମି. ଗୁଳି, ଦୁଇଟି ମାଗାଜିନ୍, ଏକ ମୋଟୋରୋଲା ୱାକି-ଟକି, ଡିଜିଟାଲ ମଲ୍ଟିମିଟର, ବ୍ୟାଟେରି, ୱାକି-ଟକି ସାମଗ୍ରୀ, ମାଓବାଦୀ ପୁସ୍ତକ ଏବଂ ଶିବିର ପରିଚାଳନାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି।

ରାଉରକେଲା ଏସପି ନିତେଶ କୁମାର ୱାଧୱାନୀ ଙ୍କ ସୂଚନା ଅନୁଯାୟୀ, ଏହି ସଫଳତା ମାଓବାଦୀ ସଂଗଠନର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଲଜିଷ୍ଟିକ୍ ସହାୟତା ବ୍ୟବସ୍ଥାକୁ ଦୁର୍ବଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜବତ ସମସ୍ତ ସାମଗ୍ରୀକୁ ନିୟମାନୁସାରେ ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟକୁ ୩୧ ମାର୍ଚ୍ଚ ୨୦୨୬ରେ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ସମ୍ପ୍ରତିର ଏହି ସଫଳ ଅଭିଯାନ ରାଜ୍ୟରେ ଶାନ୍ତି, ସୁରକ୍ଷା ଓ ସ୍ଥାୟୀ ସ୍ଥିରତା ବଜାୟ ରଖିବା ପାଇଁ ସୁରକ୍ଷା ବାହିନୀର ନିରନ୍ତର ସତର୍କତା ଏବଂ ଦୃଢ଼ ପ୍ରୟାସର ପ୍ରତିଫଳନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।