କ୍ଷତିଗ୍ରସ୍ତ ଚାଷୀ ‘କୃଷି ରକ୍ଷକ’ ପୋର୍ଟାଲରେ ଜଣାଇବାକୁ ପରାମର୍ଶ

ଭୁବନେଶ୍ଵର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବାକୁ ପଦକ୍ଷେପ ନିଆଯିବ ବୋଲି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମାନୁଯାୟୀ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯାଏ । ଯଦି ଅମଳ ହୋଇଥିବା ଫସଲ କ୍ଷେତରେ ବିଡା ବନ୍ଧା ଅବସ୍ଥାରେ କିମ୍ବା ଖଳାରେ ଶୁଖାଯାଇଥିବା ଅବସ୍ଥାରେ ଅମଳର ୧୪ ଦିନ ମଧ୍ୟରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, ତେବେ ବୀମା ସହାୟତା ପ୍ରଦାନ ପାଇଁ ଚାଷୀମାନେ ଯୋଗ୍ୟ ଅଟନ୍ତି । ଏଥିପାଇଁ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ପୋର୍ଟାଲ କିମ୍ବା “କୃଷି ରକ୍ଷକ ହେଲ୍ପଲାଇନ ନମ୍ବର” ୧୪୪୪୭ ରେ ସୂଚନା ଦେବାକୁ ଗଣମାଧ୍ୟମ ଜରିଆରେ ସମବାୟ ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ,ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀଙ୍କ ଧାନ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ପ୍ରକାର ଫଲସ ନଷ୍ଟ ହୋଇଛି । ଏହି ଅଦିନିଆ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଅମଳ ଫସଲ କ୍ଷତିଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଉଛି । ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଦେଓଗଡ, ଗଜପତି, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ, ରାୟଗଡା ଆଦି ଜିଲ୍ଲାରେ ଏହି ଅଦିନିଆ ଲଘୁଚାପ ବର୍ଷା ହୋଇଛି ।
ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଭାଇମାନେ ନିଜର କ୍ଷତି ପୂରଣ ପାଇବା ପାଇଁ ପଞ୍ଜୀକୃତ ଚାଷୀମାନେ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ପୋର୍ଟାଲ କିମ୍ବା “କୃଷି ରକ୍ଷକ ହେଲ୍ପଲାଇନ ନମ୍ବର” ୧୪୪୪୭ ରେ ସୂଚନା ଦେବାକୁ ସମବାୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଅଧିକ ସହାୟତା ପାଇଁ ନିକଟସ୍ଥ କୃଷି ଅଧିକାରୀ – VAW, BAO, DAO, CDAO କିମ୍ବା ସମବାୟ ଅଧିକାରୀ- CEO, ARCS, DRCS ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page