ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ସାଇସୁରନି ବିଭାଗ ର ଗୁଣପୁର ଗ୍ରାମପଞ୍ଚାୟତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା l କେଫ୍ୟୁ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ଗ୍ରାମପଂଚାୟତ ର ସରପଞ୍ଚ ସୁଜାତା ମାଝୀ, କଳାହାଣ୍ଡି ଜିଲ୍ଲା ବନ କର୍ମଚାରୀ ସଂଘ ର ସଭାପତି, ଭବାନୀ ଶଙ୍କର ପରିଛା, ସାଇସୁରନି ବନ ବିଭାଗରର ବନପାଳ ସନ୍ତୋଷ କୁମାର ଦଳପତି, ଗୁଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ନାଏକ, ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି, ଅଜିତ କୁମାର ନାୟକ, ଗୁଣପୁର ଆଞ୍ଚଳିକ ବିକାଶ ପରିଷଦର ଅଧ୍ୟକ୍ଷ ସମାଜସେବୀ ରଥ ଦୁରିଆ ପ୍ରକୃତିବନ୍ଧୁ ଡୋଳାମଣୀ ସାହୁ ଓ ସ୍ଥାନୀୟ ବରିଷ୍ଠ ନାଗରିକ ଧୋବା ନାଏକ ପ୍ରମୁଖ ମଂଚାସୀନ ହୋଇ ବିଶ୍ୱ ଧରିତ୍ରୀ ଦିବସ ର ବିଷୟ ବିନ୍ଦୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ l ବିଶେଷ କରି ଆଜିର କାର୍ଯ୍ୟକ୍ରମରେ ଚଳିତ ବର୍ଷ ବିଶ୍ୱ ଧରିତ୍ରୀ ଦିବସର ବିଷୟ ” ଆମର ଶକ୍ତି, ଆମର ଗ୍ରହ “ଶୀର୍ଷକ ଉପରେ ଅତିଥି ବୃନ୍ଦ ଆଲୋଚନା କରି ଜନ ସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଅକ୍ଷୟ ଶକ୍ତି ର ଉତ୍ସକୁ ପ୍ରୟୋଗ କରି ତାପଜ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ କରି ଆଗାମୀ 2030 ସୁଦ୍ଧା ଶତକଡା ପଚାଶ ଭାଗ ଲୋକ ଏହାର ଉପଭୋକ୍ତା ସାଜିବେ ବୋଲି ଜାତିସଂଘ ରେ ନିର୍ଦ୍ଧାରିତ ହୋଇଥିବା ବିଷୟ ଅତିଥି ଗଣ ପ୍ରକାଶ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ଅକ୍ଷୟ ଶକ୍ତି ଇନ୍ଧନ ଶକ୍ତିରେ ରୂପାନ୍ତରିତ ହେଲେ ଲୋକେ କିପରି ଉପକୃତ ହେବେ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ଅକ୍ଷୟ ଶକ୍ତି ର ପ୍ରୟୋଗକୁ ଚଳିତ ବର୍ଷ ଜାତିସଂଘ ଅଧିବେଶନରେ ଅଧିକ ଗୁରୁତ୍ୱ ଦେଇଥିବା ବିଷୟକୁ ପ୍ରକୃତିବନ୍ଧୁ ଡୋଳାମଣୀ ସାହୁ ଏହି ସଭରେ ଉପସ୍ଥାପନ କରିଥିଲେ l ସୌର ଶକ୍ତି କୁ ପ୍ରୟୋଗ କରି ଇନ୍ଧନ ଯୋଗାଇ ଦେଇ ପାରିଲେ ଜଙ୍ଗଲରୁ ଗଛ କାଟିବା ନିୟନ୍ତ୍ରଣ ହୋଇପାରିବ ବୋଲି ବକ୍ତା ଗଣ ମତାମତ ରଖିଥିଲେ l ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଅନୁଷ୍ଠିତ ଜନ ସଚେତନତା ସଭାରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ର ମା ମାନେ ଭାଗ ନେଇ ଯଥା ଶୀଘ୍ର ଏହି ପ୍ରକଳ୍ପ କୁ କାମରେ ଲଗାଇ ଜନସାଧାରଣ ଙ୍କୁ ସୁଭିଧା ଯୋଗାଇ ଦେଲେ ଚଳିତ ବର୍ଷ ଧରିତ୍ରୀ ଦିବସର ବିଷୟ ଫଳପ୍ରଦ ହେବ ବୋଲି ମତାମତ ରଖିଥିଲେ l ପ୍ରକୃତିବନ୍ଧୁ ଡୋଳାମଣୀ ସାହୁ ଏହି କାର୍ଯ୍ୟକ୍ରମରେ ସଭାପତ୍ୱ କରିଥିବା ବେଳେ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଅଜିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ଭବାନୀପାଟଣା, ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ