ଏସ୍‌ଆଇ ପରୀକ୍ଷା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: କ୍ରାଇମ୍ ବ୍ରାଂଚ ହାତରେ ମୁଲି ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୋଲିସ୍ ଏସ୍‌ଆଇ ଚାକିରି ଲାଗି ପରୀକ୍ଷା ପ୍ରସ୍ତୁତିବେଳେ ଘଟିଥିବା କେଳେଙ୍କାରୀର ମହାଘୋଟାଲା ଆଗକୁ ଖୋଲି ଖୋଲି ଚାଲିଚି। ଓଡ଼ିଶା ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ଏହି କେଳେଙ୍କାରୀରେ ସଂପୃକ୍ତ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇଯାଇଛନ୍ତି। ଅପରାଧ ସିଣ୍ଡିକେଟର ମୁଖ୍ୟ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ବାଲେଶ୍ୱରର ଅରବିନ୍ଦ ଦାସ ପଶ୍ଚିମବଙ୍ଗର ମନ୍ଦାରମଣିରେ ଆଶାୟୀଙ୍କ ରହିବା ପାଇଁ ଓ ଦୀଘାରେ ଶିକ୍ଷକଙ୍କ ରହଣି ଉଦ୍ଦେଶ୍ୟରେ ଚାରି ଦିନ ପାଇଁ ଦୁଇଟି ହୋଟେଲ୍ ବୁକ୍ କରିଥିଲା। ସେଠାରେ ସେମାନଙ୍କୁ ପୁଲିସ ଏସ୍‌ଆଇ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥାନ୍ତା। ଦୀଘା ହୋଟେଲରେ ଆଶାୟୀ ରହିବା ପାଇଁ ୩୫ ହଜାର ଟଙ୍କା ଅଗ୍ରିମ ବି ଦିଆଯାଇଥିଲା। କିନ୍ତୁ ୨୯ ତାରିଖ ରାତିରେ ବିଜୟନଗରମ ଯିବା ରାସ୍ତାରେ ୧୧୪ ଆଶାୟୀ ଓ ତିନି ଦଲାଲଙ୍କୁ ଗିରଫ କରାଯିବା ପରେ ପଶ୍ଚିମବଙ୍ଗ ଯାଉଥିବା ୧୧୦ ପ୍ରାର୍ଥୀ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସିଣ୍ଡିକେଟ୍ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଗୁଜୁରାଟର ପ୍ରଶ୍ନପତ୍ର କେଳେଙ୍କାରୀରେ ବି ସାମିଲ ଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଦ୍ୱାରା ପ୍ରସ୍ତୁତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟିର ପତ୍ତା ମିଳୁନଥିବା ବେଳେ ଗିରଫ ୪ ଜଣଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ହାସଲ କରିଛି। କଟକ ଜିଲ୍ଲା ବୈଦେଶ୍ୱର ଥାନା କଳାପଥର ଅଞ୍ଚଳର ମୁନା ମହାନ୍ତି(୩୨) ଭୁବନେଶ୍ୱର ଖଣ୍ଡଗିରି ଥାନା ଜାଗମରାର ଅମିତ ନଗରରେ ଏକ କୋଠାରେ ରହୁଥିଲା। ଭୁବନେଶ୍ୱର ପଟିଆରେ ଶଙ୍କର ପୃଷ୍ଟିର ମାଲିକାନାରେ ଚାଲୁଥିବା ପଞ୍ଚସଫ୍ଟ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡରେ ମୁନା ସମେତ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁ(୩୪), ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ନାବରା ଅଞ୍ଚଳର ଅରବିନ୍ଦ ଦାସ(୪୩), କଟକ ଜିଲ୍ଲା ବିଦ୍ୟାଧରପୁରର ବିଶ୍ୱରଞ୍ଜନ ବେହେରା(୨୯), ଦଶପଲ୍ଲାର ଟି. ଅଭିମନ୍ୟୁ ଦୋରା, ଢେଙ୍କାନାଳ ଜିଲ୍ଲା ମୁକୁନ୍ଦପୁରର ପ୍ରୟଦର୍ଶିନୀ ସାମଲ ସାମିଲ ଥିଲେ। ଶଙ୍କର ଦିଲ୍ଲୀରେ ରହି ପୁରା ସିଣ୍ଡିକେଟକୁ ନିୟନ୍ତ୍ରଣ କରୁଥିଲା। ବିଶ୍ୱରଞ୍ଜନ ଓଡ଼ିଶା ପୁଲିସ ବାଟାଲିୟନରେ ସିପାହୀ ଭାବେ କାର‌୍ୟ୍ୟ କରୁଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page