ଖୋର୍ଦ୍ଧା,୨୩ ।୧୦: ବିଦେଶରେ ବଡ ପଦବୀରେ ରହି ମଧ୍ୟ ନିଜ ଜନ୍ମମାଟିକୁ ଭୁଲି ପାରିନାହାନ୍ତି ମିଳିତ ଜାତିସଙ୍ଘରେ ନୀତି ଅଧିକାରିଣୀ ଭାବେ ୱାସିଂଟନରେ ଅବସ୍ଥାପିତା ଓଡ଼ିଆ ଝିଅ ବୈଶାଳୀ ମହାନ୍ତି।ପ୍ରଖ୍ୟାତ ଓଡିଶୀ ନୃତ୍ୟ
ଗୁରୁ ଗଙ୍ଗାଧରଙ୍କ ଶିଷ୍ୟା ନୃତ୍ୟ ପଟ୍ଟୀୟସୀ ବୈଶାଳୀ ନିଜ ପ୍ରତିଭା ଓ ଅଧ୍ୟବସାୟ ବଳରେ ଅନ୍ତର୍ଜାତୀୟ ପଦାଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଛାଡି ପାରିନାହାନ୍ତି ତାଙ୍କର କଳାତ୍ମକ ରୁଚିକୁ। ନିକଟରେ ନିଜ ଜନ୍ମମାଟି ବାଣପୁର ସ୍ଥିତ ଆୟତପୁର ଗ୍ରାମକୁ ମା ଅନ୍ତର୍ଜାତୀୟ ମହିଳା ନେତ୍ରୀ ତଥା ଯଶୋଧାରା ସାହିତ୍ୟ ପତ୍ରିକାର ସମ୍ପାଦିକା ମାନସୀ ପ୍ରଧାନ ଓ ପିତା କାର୍ଯ୍ୟନିବୃତ୍ତ ଯନ୍ତ୍ରୀ ରାଧା ବିନୋଦ ମହାନ୍ତିଙ୍କ ସହ ଆୟତପୁର ଗ୍ରାମକୁ ଶାରଦୀୟ ପୂଜା ଅବସରରେ ଆସିଥିବା ବେଳେ ଗ୍ରାମର ଆରାଧ୍ୟା ଦେବୀ ମା ଶୂଳିଆ ଦେବୀଙ୍କ ପୀଠରେ ଆୟୋଜିତ ସାଂସ୍କୃତିକ ମଞ୍ଚରେ ଦମଦାର ଶାସ୍ତ୍ରୀୟ ଓଡିଶୀର ଅଭିନୟରେ ଏକକ ମହାକାଳୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିପାରିଥିଲେ। ତାଙ୍କର ଏହି ଅନନ୍ୟ ପ୍ରତିଭା ପାଇଁ ଗ୍ରାମର ସାଂସ୍କୃତିକ କମିଟି ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସୁଶ୍ରୀ ବୈଶାଳୀ ଓଡିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ପାଶ୍ଚାତ୍ୟ ଦେଶ ମାନଙ୍କରେ ମଧ୍ୟ ନିରବଛିନ୍ନ ପ୍ରୟାସ ଜାରି ରଖିଛନ୍ତି।
ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା ।