ବାଲିଅନ୍ତା,୨୪|୪ (ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୧୯ ତାରିଖରୁ ଚାଲିଥିବା ବେଳେ ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିସହ ଅନ୍ତିମ ଦିବସରେ ପାର୍ଶ୍ଵ ଦେବାଦେବୀ, ଚଳନ୍ତି ପ୍ରତିମା ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନ ବିଜେ କରାଯାଇଛି l ଆଜି ପ୍ରତ୍ୟୁଷରୁ ସୂର୍ଯ୍ୟପୂଜା, ଗୋ-ପୂଜା ପରେ ନ୍ୟାସ ମଣ୍ଡପରେ ଶ୍ରୀ ଜିଉ ମାନଙ୍କ ଷୋଡଶ ଉପଚାର କରାଯାଇଥିଲା l ପରେ ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟା ଘଣ୍ଟଘଣ୍ଟା ବଜାଇ ପ୍ରଥମେ ପତିତପାବନ, ଭୁଦେବୀ, ମା’ଲକ୍ଷ୍ମୀ, ବିମଳା ଆଦି ପାର୍ଶ୍ଵ ଦେବାଦେବୀଙ୍କୁ ପହଣ୍ଡି କରାଯାଇଥିଲା l

ପରେ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ମାନଙ୍କୁ ପହଣ୍ଡି କରାଯାଇ ମନ୍ଦିରରେ ବିଜେ କରାଯାଇଥିଲା l ଶେଷରେ ସନ୍ଧ୍ୟା ପ୍ରାୟ ସାଢେ ୫ ଟାରେ ଶ୍ରୀ ଜିଉଙ୍କ ପହଣ୍ଡି କରାଯାଇଥିଲା l ରୀତିନୀତି ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ପରେ ହଳନ୍ଦୀମୁହିଁ, କାମ୍ପଲ୍ୟବାସିନୀ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରାଯାଇଥିଲା l ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା l

ପହଣ୍ଡି ସମୟରେ ଶ୍ରୀ ଜିଉ ମାନେ ଟାହିଆ ପରିଧାନ କରିଥିଲେ l ପୁରୀରୁ ଆସିଥିବା ଦଇତାପତି ମାନେ ଶ୍ରୀ ଜିଉମାନଙ୍କୁ ପହଣ୍ଡି କରିବା ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ “ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ l ଜଗନ୍ନାଥ ମୟ ହୋଇଥିଲା ସୁଦର୍ଶନ ଦାରୁସ୍ଥଳୀ l ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ପୁରି ଉଠିଥିଲା ପୁରୁଣାଜଗନ୍ନାଥ ସଡ଼କ l ସତେ ଯେମିତି ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି କରିଥିଲା l

ପରେ ରତ୍ନ ସିଂହାସନ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ପରେ ୨ ଘଣ୍ଟାର ସ୍ୱତନ୍ତ୍ର ନୀତିକ୍ରାନ୍ତି ପରେ ରାତି ପ୍ରାୟ ୧0 ଟାରେ ଶ୍ରୀ ଜିଉ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ l ଶେଷରେ ରାତି ସାଢେ ୮ ଟା ରେ ଯଜ୍ଞର ପୂର୍ଣ୍ଣାହୁତୀ ସମ୍ପନ୍ନ ହୋଇଥିଲା l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ୫ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରସାଦ ସେବନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ ବଡ଼ପଣ୍ଡା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ l
ବାଲିଅନ୍ତା,ଗୋବର୍ଦ୍ଧନ ଦାସ