ହରିପୁରରେ ,୨୭ତମ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ।

ଚିଲିକା,୧୭।୫:ପ୍ରତି ବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଠାରେ ବିଜେ ପଶ୍ଚିମାଭିମୁଖୀ ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେବଙ୍କ ପୀଠରେ୧୧ ତାରିଖ ଠାରୁ ୧୭ ତାରିଖ ପର୍ୟ୍ୟନ୍ତ ସପ୍ତଦିବସ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁମିଳନ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେହ ଦିବସରେ ସୂର୍ୟ୍ୟପୂଜା,ଗୋପୂଜା, ଶ୍ରୀମଦ୍ ଭାଗବତ ପାଠ, ଚ଼ଣ୍ଡୀପାଠ ଓ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥାଏ । ୧୩, ୧୪ ଓ ୧୫ ତାରିଖ ତ୍ରିଦିବସ ରୁଦ୍ରାଭିଷେକ ସହ ରାମ ତାରକ ମନ୍ତ୍ରଲିଖିତ ଏକ ଲକ୍ଷ ପଚିଶ ସହସ୍ର ବିଲ୍ୱ ଦଳ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେବଙ୍କୁ ଅର୍ପଣ କରାଯାଇଥିଲା । ୧୭ ତାରିଖ ରବିବାର ଦିନ ଯଜ୍ଞର ପୂର୍ଣ୍ଣାହୂତି ଦିବସରେ ଶ୍ରୀଶ୍ରୀ ପ୍ରତାପେଶ୍ଵର ଦେବଙ୍କ ଆମନ୍ତ୍ରଣ କ୍ରମେ ୩୮ଶମ୍ଭୁ,୬ ବିଷ୍ଣୁ ପ୍ରତିମା ଓ ୯ କାଠି ଠାକୁରାଣୀ ବିଜେ କରିବା ପରେ ମହାଯଜ୍ଞରେ ସମସ୍ତଙ୍କୁ ଆହୂତି ପ୍ରଦାନ କରାଯାଇ ଥିଲା । ସଂଧ୍ୟା ସମୟରେ ଯଜ୍ଞାର ପୂର୍ଣ୍ଣାହୁତି ହେବାପରେ ସମସ୍ତ ଠାକୁର ମେଳନ ପଡ଼ିଆକୁ ବିଜେ କରିଥିଲେ । ଭକ୍ତମାନେ ଠାକୁରମାନଙ୍କୁ ସୁସର୍ଜିତ ବିମାନରେ ଘଣ୍ଟା, କାହାଳୀ ଓ ମୃଦଙ୍ଗ ବଜାଇ ମେଳଣ ପଡ଼ିଆକୁ ନେଇଥିଲେ ।

ସେଠାରେ ପୁରୀ ଜିଲ୍ଲା ପାରିକୁଦଗଡର ଶ୍ରୀନୀଳକଣ୍ଠେଶ୍ଵର ଦେବ,ତ୍ରିଛଣର ଶ୍ରୀ ତ୍ରିଲୋଚନ ଦେବ, ବଡଅଁଳର ଶ୍ରୀଇଶାନେଶ୍ଵର ଦେବ, ସିଆଣ୍ଡିର ଶ୍ରୀ ଜଗତେଶ୍ଵର ଦେବ, ଚିଲିକା ନୂଆପଡାର ଶ୍ରୀ ଗୁପ୍ତେଶ୍ଵର ଦେବ, ନୟାଗଡ଼ ଜିଲ୍ଲା ପଟିଆର ଶ୍ରୀଚଣ୍ଡେଶ୍ଵର ଦେବ, ନାକିଠଣାର ଶ୍ରୀବାଲୁକେଶ୍ଵର ଦେବ, ନରମାନବୀର ଚନ୍ଦନେଶ୍ୱର ଦେବ, ଗଞ୍ଜାମ ଜିଲ୍ଲା କେ.ବରିଡାର ଶ୍ରୀଅମରେଶ୍ଵର ଦେବ, ବେଗୁନିଆପଡ଼ାର ଶ୍ରୀ ଚନ୍ଦ୍ରଶେଖର ଦେବ, ଢେଙ୍କାନାଳ ଜିଲ୍ଲା କରମୂଳର ଶ୍ରୀଦୈଡେଶ୍ଵର ଦେବ, କଟକ ଜିଲ୍ଲା ଗୋପୀନାଥପୁର (ବଡମ୍ବା)ର ଶ୍ରୀ ସିଂଘନାଥ ଦେବ, ଭୁବନେଶ୍ୱର ତମାଣ୍ଡୋର ବାଲୁକେଶ୍ଵର ଦେବ,କାଇ ମାଟିଆର ଶ୍ରୀ ଦକ୍ଷୀଣେଶ୍ଵର ଦେବ,ଖୋର୍ଦ୍ଧା ଜିଲ୍ଲା ଧଉଳି ମୁହଁ ଶ୍ରୀନୀଳକଣ୍ଠେଶ୍ଵର ଦେବ, ଟାଙ୍ଗୀର ଶ୍ରୀଲୋକନାଥ ଦେବ, ଅଣ୍ଡାର ଶ୍ରୀସ୍ଵପ୍ନେଶ୍ୱର ଦେବ, ସିଙ୍ଗେଶ୍ଵରର ଶ୍ରୀସିଂହନାଥ ଦେବ, କୁହୁଡି ଛ’ଗଡର ଶ୍ରୀ ଗୁପ୍ତେଶ୍ଵର ଦେବ,ଦୁଲଣିର ଶ୍ରୀ ଗତିଶ୍ଵର ଦେବ, ଗଙ୍ଗାଧରପୁରର ଶ୍ରୀବାଲୁଙ୍କେଶ୍ଵର ଦେବ ଓ ଇଚ୍ଛାପୁରର ଶ୍ରୀବଙ୍କନିଧିଶ୍ଵର ଦେବ ପ୍ରମୁଖ ୩୮ ଶମ୍ଭୁ, ୬ ବିଷ୍ଣ ପ୍ରତିମା ଓ ୯ କାଠି ଠାକୁରାଣୀ ମେଳଣ ପଡ଼ିଆକୁ ବିଜେ କରିବା ପରେ ମେଳଣ ଆରମ୍ଭ ହୋଇଥିଲା । ଠାକୁରମାନେ ମେଳଣ ପଡ଼ିଆରେ ସପ୍ତଘେରା ପ୍ରଦିକ୍ଷଣ କରିଥିଲେ ।

ଠାକୁରମାନଙ୍କ ମେଳଣ ସମୟରେ ଆତସବାଜି ର ଆଲୋକମାଳା ସହ ଘଣ୍ଟ, ମୃଦଙ୍ଗ , କାହାଳୀ ର ତାଳେ ତାଳେ ହରିବୋଲ,ହୂଳହୁଳି ,ଜୟଶିବ ଶମ୍ଭୁ ଧ୍ୱନୀ ଓ ଶିବାଷ୍ଟକ ଆବୃତ୍ତି ପରିବେଶକୁ ଆଧ୍ୟାତ୍ମିକ ମୟ କରିଥିଲା ଓ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଭକ୍ତ ମାନଙ୍କ ହୃଦୟରେ ନୈସର୍ଗିକ ଆନନ୍ଦ ପ୍ରଦାନ କରୁଥିଲା । ଉକ୍ତ ଶମ୍ଭୁ ମିଳନରେ ଲକ୍ଷାଧିକ ଭକ୍ତ ଯୋଗ ଦେଇ ଥିବା ବେଳେ ମନ୍ଦିର ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ଓ ପୋଲିସ୍ ବିଭାଗ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ରୁଦ୍ର ଯଜ୍ଞ ଓ ଶମ୍ଭୁ ମିଳନ ଶାନ୍ତିର ସହିତ ସମାପନ ହୋଇଥିବାରୁ ଚିଲିକା ବ୍ଲକର ପୂର୍ବତନ ଚେୟାରମ୍ୟାନ ଲଳିତ ମୋହନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page