ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ ଭୁବନେଶ୍ୱରରେ ବି ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ବର୍ଷାରେ ବି ଫିକା ପଡିନି ପୂଜା ।
ଏହାରି ଭିତରେ ଆକର୍ଷଣୀୟ ସାଜିଛି ଗଛ ଗଣେଶ । ପରିବେଶ ସୁରକ୍ଷାର ବାର୍ତା ନେଇ ଗଛରେ ପ୍ରସ୍ତୁତ ଗଣେଶ ପୂଜା ପାଉଛନ୍ତି । ତେବେ ହାତୀମୁଣ୍ଡିଆ ଓ ମନୁଷ୍ୟଦେହୀୟ ପ୍ରଭୁ ଶ୍ରୀ ଗଣେଶ ପ୍ରକୃତିର ସମସ୍ତ ସୃଷ୍ଟି, ପଶୁଜଗତ ଓ ମାନବଜଗତଙ୍କ ସଂଯୋଗର ଶକ୍ତିଶାଳୀ ପ୍ରତୀକ। ସେହିକାରଣରୁ, ବକୁଳ ଫାଉଣ୍ଡେସନ୍ର ସ୍ୱଇଚ୍ଛାସେବୀମାନେ ଭାରତର ପୁରାତନ ପରମ୍ପରା, ବୃକ୍ଷ ପୂଜାରୁ ପ୍ରେରିତ ହୋଇ, ବୃକ୍ଷଙ୍କୁ ଶ୍ରୀଗଣେଶ ଭାବେ ପୂଜା କରୁଛନ୍ତି । ପୁନଃବ୍ୟବହୃତ ସାମଗ୍ରୀରୁ ବୃକ୍ଷକୁ ଗଣେଶ ରୂପରେ ତିଆରି କରାଯାଇଛି ଓ ନୂତନ ଧୋତି ପିନ୍ଧାଇ ଶୃଙ୍ଗାରିତ କରାଯାଇଛି। ଏକ ପ୍ରାଚୀନ ବୃକ୍ଷର ଗଣ୍ଡିକୁ ଗଣେଶଙ୍କ ଦେହ ଓ ପାରମ୍ପରିକ କୁଳାକୁ ବଡ଼ କାନ ଭାବେ ବ୍ୟବହାର କରାଯାଇଥିଲା। ଗଛର ଗଣ୍ଡିରେ ଚିତ୍ରାଙ୍କନ କରି ଶୁଣ୍ଢ ତିଆରି କରାଯାଇଥିଲା। ବର୍ଷା ହେବା ସହିତ ସ୍ୱାଭାବିକ ଭାବେ ଗଣେଶଙ୍କ ବିସର୍ଜନ ହୋଇଯିବ, ଯାହାଦ୍ୱାରା ପାଣିରେ ପ୍ରଦୂଷଣ ହେବ ନାହିଁ ବୋଲି କହିଛି ଫାଉଣ୍ଡେସନ ।
ଏଠାରେ ସୂଚନାଥାଉକି ୨୦୧୭ରୁ ବକୁଳ ଏହି ବୃକ୍ଷଗଣେଶ ପୂଜା କରୁଛି। ପ୍ରଥମେ ଏହା ସତ୍ୟନଗରର ବକୁଳ ଲାଇବ୍ରେରୀରେ ପାଳିତ ହେଉଥିଲା, କିନ୍ତୁ ୨୦୨୨ରୁ ଏହା ବିଜୁ ପଟ୍ଟନାୟକ ପାର୍କ (ପୂର୍ବରୁ ଫରେଷ୍ଟ ପାର୍କ) ଭିତରେ ଥିବା ଲାଇବ୍ରେରୀ ଆରମ୍ଭ ହେବା ପରେ, ସେଠାରେ ଥିବା ଗଛକୁ ବୃକ୍ଷଗଣେଶ ଭାବେ ପୂଜା କରାଯାଉଛି। ଏକ ଶୁଷ୍କ ନାଡିଆର ମୂଷା ବା ବାହନ ବେଶ ଆକର୍ଷଣୀୟ ସାଜିଛି।
“ଆମ ପରିବେଶ ସେଇଯାଏ ପର୍ଯ୍ୟନ୍ତ ଠିକ୍ ଥିଲା, ଯେଉଁ ପର୍ଯ୍ୟନ୍ତ ଆମର ସଂସ୍କୃତିକ ସମ୍ପର୍କ ପ୍ରକୃତି ସହିତ ରହିଥିଲା । ଯେତେବେଳେ ଆମେ ବୃକ୍ଷଙ୍କୁ କେବଳ ବସ୍ତୁ ଭାବରେ ଦେଖିଲୁ, ସେତେବେଳେ ସେମାନେ ‘ଅପରିହାର୍ଯ୍ୟ’ ହେଇଗଲେ । କିନ୍ତୁ ଯଦି ଗଛ ତଳେ ମନ୍ଦିର ହୋଇଥାଏ, ସେଗଛ କାଟିବା କଠିନ୍ । ଗଣେଶଜୀଙ୍କ ଅନ୍ୟ ନାମ ‘ବିଘ୍ନରାଜ’ ଅର୍ଥାତ୍ ବାଧା ଦୂର କରିବା଼ । ଏହି ମନୋଭାବର ପରିବର୍ତ୍ତନରୁ ଆଜି ଆମେ ପରିବେଶୀୟ ସଙ୍କଟର ସମ୍ମୁଖୀନ ହେଉଛୁ ବୋଲି କହିଛନ୍ତି । ତେଣୁ ପରିବେଶ ସଚେତନତାର ବାର୍ତାକୁ ନେଇ ଆମେ ଏହି ପୂଜା କରିଛି,” କହିଛନ୍ତି ସଂସ୍ଥାର ଜଣେ ସଦସ୍ୟ ।