ବାଲିଅନ୍ତା ୧୬/୦୮(ଗୋବର୍ଦ୍ଧନ ଦାସ):– କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଓ ଜ୍ୟୋତି କଳା ମନ୍ଦିରର ମିଳିତ ଆନୁକୂଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଲିଙ୍ଗିପୁରସ୍ଥିତ ଜ୍ୟୋତି କଳା ମନ୍ଦିର ନୃତ୍ୟ ଶିକ୍ଷା କେନ୍ଦ୍ରରେ ଆୟୋଜିତ “ ସମ୍ବର୍ଦ୍ଧନା ଉତ୍ସବ”ରେ ଜ୍ୟୋତିକଳା ମନ୍ଦିରର ଅନ୍ତେବାସୀମାନେ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ବନ୍ଦପନା, ପୂଜାର୍ଚ୍ଚନା ଓ ଶଙ୍ଖନାଦ ସହିତ ସ୍ଵାଗତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ)ର ଅଧ୍ଯକ୍ଷ ସଂଗ୍ରାମ କେଶରୀ ପାଇକରାୟ ଅଧ୍ୟକ୍ଷତା କରିଥିବାବେଳେ, ଜ୍ୟୋତି କଳା ମନ୍ଦିର ର ପ୍ରତିଷ୍ଠାତା ତଥା ଓଡିଶୀ ନୃତ୍ୟ ଗୁରୁ ଜ୍ୟୋତି ରାଉତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ମର୍ଦ୍ଦଳ ଗୁରୁ ଶ୍ରୀ ଧନେଶ୍ଵର ସ୍ଵାଇଁ, ଓଡିଶୀ ସଂଗୀତ ନିର୍ଦ୍ଦେଶକ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ଗୁରୁ ଶରତ ସାହୁ ପ୍ରମୁଖ ଉପସ୍ଥିତ ରହି ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଉପଢୌକନ ପ୍ରଦାନକରି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜ୍ୟୋତି କଳା ମନ୍ଦିର ନୃତ୍ୟ ଶିକ୍ଷା କେନ୍ଦ୍ରରେ ଶିକ୍ଷୟିତ୍ରୀ, ଛାତ୍ରୀ ଓ ଅବିଭାବକମାନେ ଉପସ୍ଥିତ ରହିଥିଲେ ।
ଉପସ୍ଥିତ ଅତିଥିମାନେ ଗୁରୁ ସଚ୍ଚିଦାନନ୍ଦ ଜଣେ ଅହଙ୍କାର ବିବର୍ଜିତ, ସ୍ନେହି, ସରଳ, ନିଷ୍କପଟ ବ୍ୟକ୍ତିତ୍ୱ; ମର୍ଦ୍ଦଳ ଓ ଓଡିଶୀ ତାଙ୍କ ଜୀବନର ପ୍ରାଣ କେନ୍ଦ୍ର ।

ତାଙ୍କର ସମଗ୍ର ଜୀବନ ମର୍ଦ୍ଦଳ ସାଧନାରେ ସମର୍ପିତ, ଓଡିଶୀ ସଂଗୀତ ଓ ବାଦ୍ୟ ଜଗତ ପ୍ରତି ଅବଦାନ ଅତୁଳନୀୟ । ସମସ୍ତ ଅତିଥିମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଗୁରୁ ସଚ୍ଚିଦାନନ୍ଦଙ୍କ ଦୀର୍ଘାୟୁ କାମନା କରିଥିଲେ ।