୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ
ଭୁବନେଶ୍ୱର, ୨୨.୬ : ଓଡ଼ିଆ ଭାଷା, ସାହିତ୍ୟର ସଂରକ୍ଷକ, ବିଶିଷ୍ଟ ଗାନ୍ଧିବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନ ମଣ୍ଡଳର ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ ବରିଷ୍ଠ ଓକିଲ ଗାନ୍ଧିବାଦୀ ପ୍ରହଲ୍ଲାଦ ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ସ୍ୱର୍ଗତ କାନୁନଗୋ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସଚ୍ଚା ଶିଷ୍ୟ ଥିଲେ । ସେ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସତ୍ୟ, ଅହିଂସା ଓ ପରୋପକାରକୁ ପାଥେୟ କରି କାର୍ଯ୍ୟ କରୁଥିଲେ । ଓଡ଼ିଆ ଭାଷାକୁ ସେ ପ୍ରାଣ ଭଳି ଭଲ ପାଉଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡ଼ିଆର ପ୍ରତିଷ୍ଠାତା ତଥା ବିଶିଷ୍ଟ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ସାଧାରଣ ଓଡ଼ିଆ ପିଲାର ଜ୍ଞାନ ବୃଦ୍ଧି ପାଇଁ ଆଜକୁ ୭୦ ବର୍ଷ ତଳେ ସେ ଯେଉଁ ପରିକଳ୍ପନା କରିଥିଲେ, ତାକୁ ଆମେ ଆଜି ଚିନ୍ତା କରିପାରିବା ନାହିଁ । ଓଡ଼ିଆ ଭାଷାକୁ ବିଶ୍ୱସ୍ତରୀୟ କରିବା ପାଇଁ ତାଙ୍କର ନିରନ୍ତର ଚେଷ୍ଠାର ପଟ୍ଟାନ୍ତର ନାହିଁ । ସମ୍ମାନିତ ଅତିଥି, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଆମେ ଜନ୍ମ ହେବା ପୂର୍ବରୁ ୧୯୫୪ ମସିହାରେ ସେ ଜ୍ଞାନ ମଣ୍ଡଳର ପ୍ରତିଷ୍ଠା କରିବାର ସବୁ କାର୍ଯ୍ୟ ଆରମ୍ଭ କରି ଏହାର ପ୍ରଥମ ଖଣ୍ଡ ୧୯୬୦ ମସିହାରେ ଓଡ଼ିଶାବାସୀଙ୍କୁ ଏକ ଅମୂଲ୍ୟ ଉପହାର ଭାବେ ଦେଇଥିଲେ ।

ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ପଦ୍ମଚରଣ ନାୟକ ଓ ଅରବିନ୍ଦ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ବୁଦ୍ଧିଜୀବୀ ପ୍ରଫେସର ବିଶ୍ୱରଞ୍ଜନ କହିଲେ ଯେ, ଓଡ଼ିଆ ଅସ୍ମିତା ନାମରେ ଓଡ଼ିଆ ପାଠ୍ୟପୁସ୍ତକର ଯେଉଁ ଅବସ୍ଥା, ଓଡ଼ିଶାରେ ସୃଷ୍ଟି ହୋଇଛି, ବିନୋଦ କାନୁନଗୋଙ୍କ ଭଳି ମହାନ ଭାଷାବିଜ୍ଞାନୀମାନେ ଆଜି ନିଜକୁ ଧିକ୍କାର କରିଥାନ୍ତେ । ଯେଉଁ ମୂଳଦୁଆକୁ ଦୃଢ କରିବା ପାଇଁ ପ୍ରାଥମିକସ୍ତରରେ ଶିଶୁମାନଙ୍କୁ ପ୍ରସ୍ତୁତ କରାଯାଏ, ସେହି ପୁସ୍ତକମାନଙ୍କରେ ଯଦି ଶହ ଶହ ତ୍ରୁଟି ରହିବ, ତେବେ ଛାତ୍ରଟି ଜୀବନର ପ୍ରାରମ୍ଭରେ କଣ ଶିକ୍ଷା କରିବ, ଏହା ବର୍ତ୍ତମାନ ସମୟରେ ଏକ ବିରାଟ ପ୍ରଶ୍ନ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ କେହି ଦୋଷ ମୁଣ୍ଡକୁ ନେବାକୁ ପ୍ରସ୍ତୁତ ନୁହଁନ୍ତି । ଏହାହିଁ ଏ ଜାତି ପାଇଁ ବିଡ଼ମ୍ବନା । ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଶାନ୍ତ ଦାସ ସ୍ୱାଗତ ଭାଷଣ ଓ ଡଃ ଆଲୋକ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଡାକ୍ତର ରବିରଞ୍ଜନ ସାହୁ, ଡଃ ହେମନ୍ତ କୁମାର ପରିଡ଼ା ଓ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ପରି•ଳନା କରିଥିଲେ ।