ଚିଲିକା, ୧୨। ୭: ବୋଲଗଡ଼ ବ୍ଲକର କବିତୀର୍ଥ ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ ,ବିଶିଷ୍ଟ କୃଷକନେତା ,ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ୪ ଥର ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ ତମ ଜନ୍ମଜୟନ୍ତୀ ସମାରୋହ ଭକ୍ତଚରଣ ସ୍ମୃତି ସଦନ ଠାରେ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଓ ସମାଜସେବୀ ଅଜୟ ମଙ୍ଗରାଜଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ କାରାବରଣ କରିଥିଲେ, ଯାହା ତାଙ୍କର ଦେଶପ୍ରେମକୁ ପରିଚୟ ଦିଏ ଓ ପୂର୍ବତନ ବିଧାୟକ ଭାବେ ବେଗୁନିଆ ବୋଲଗଡ ମାଟିର ଚାରି ଚାରି ଥର ବିଧାୟକ ହୋଇ ସେ ମା ମାଟିର ସେବା କରି ଆମ ମାଟିର ଗୌରବକୁ ବୃଦ୍ଧି କରିଛନ୍ତି ଯାହା ଆଜି ତାଙ୍କୁ ଲୋକ ଲୋଚନରେ ଅମର କରି ରଖିଛି।

ମୁଖ୍ୟବକ୍ତା ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଯୋଗଦେଇ ଗଙ୍ଗାଧର ପାଇକରାୟ ଆମ ପାଇଁ ଓ ସମଗ୍ର ଓଡ଼ିଶା ପାଇଁ ଜଣେ ଆଦର୍ଶ ବିଧାୟକ ବୋଲି କହିବା ସହ ତାଙ୍କର ଜୀବନ ଗରିବ ,ଚାଷୀ , ଖଟିଖିଆ ମେହେନତି ମଣିଷ ମାନଙ୍କର ପାଇଁ ସମର୍ପିତ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଦୁର୍ଗାପ୍ରସାଦ ସୁବୁଦ୍ଧି ସ୍ବାଗତ ଭାଷଣ ଦେଇଥିଲେ । ଗ୍ରାମ୍ୟ କମିଟି ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ,ପ୍ରାକ୍ତନ ଆକାଉଣ୍ଟ ଅଧିକାରୀ ତ୍ରିଲୋଚନ ମହାନ୍ତି , ଶିକ୍ଷକ ନେତା ସୁକାନ୍ତ କୁମାର ଜେନା, ଶିକ୍ଷକ ସୁସ୍ମିକାନ୍ତ ନାୟକ , ବିଜୟ କୁମାର ଗୁମାନସିଂହ, ଅନୁପମା ବଳିଆରସିଂହ,ଦେବୀପ୍ରସାଦ ସିଂହ , ଅଜୟ କୁମାର ଦଳବେହେରା, ପ୍ରମୁଖ ଗଙ୍ଗାଧର ପାଇକରାୟ ଙ୍କ ର ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ନିର୍ଭୀକତା , ସାହସିକତା , କାର୍ଯ୍ୟାବଳୀ , ନୀତି ଆଦର୍ଶ , ଚାରି ଥର ବିଧାୟକ ଭାବେ ତାଙ୍କର ଉନ୍ନତି ମୂଳକ କାର୍ଯ୍ୟ ସମ୍ବନ୍ଧ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷ ରେ ଗ୍ରାମ କମିଟି ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବେଗୁନିଆ ,ବୋଲଗଡ ରାସୋଳ,ଚଂପାଇଲୋ , ପିଚୁକୁଳି ବାୟାପଲ୍ଲୀ,ସାନପଦର ଗ୍ରାମ କୁ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

ଦିଲ୍ଲୀପ କୁମାର ଶତପଥ୍ୟ
ଚିଲିକା ପ୍ରତିନିଧି