ଚିଲିକା, ୨୬।୬:ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଠାରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ ତମ ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଅଛି । ପ୍ରଥମ ଦିବସର ପ୍ରାରମ୍ଭରେ ଭାରତର ଆଧ୍ୟାତ୍ମିକ ପତାକାକୁ ଉତ୍ତୋଳନ କରା ଯାଇଥିଲା । ଏହାକୁ ଉତ୍ତୋଳନ କରିଥିଲେ ସାଧକ ପ୍ରଭାତ କୁମାର ନାୟକ।ଏହାପରେ ଜ୍ଞାନ ମନ୍ଦିର ପରିସରେ ଥିବା ଶ୍ରୀ ଅରବିନ୍ଦଙ୍କ ରିଲକ୍ସ ସେଣ୍ଟର ଠାରେ ଅପାଭାଇମାନଙ୍କ ଦ୍ୱାରା ଧୂପ ଅର୍ପଣ କରିବା ପରେ ସମୁହ ଧ୍ୟାନ ଓ ପ୍ରାର୍ଥନା କରାଯାଇଥିଲା। ନାଚୁଣୀ କଲେଜର ପ୍ରାକ୍ତନ ଲାଇବ୍ରେରୀଆନ୍ ରାମଚ଼ନ୍ଦ୍ର ମାର୍ଥାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାରେ ଆଧ୍ୟାତ୍ମିକ ଆଲୋଚନା” ଚେତନାର ଚିତ୍ରକାର ଶ୍ରୀ ଅରବିନ୍ଦ” । ଆଲୋଚକ ଥିଲେ ସାଧକ ପ୍ରଭାତ କୁମାର ନାୟକ, ଜିଲ୍ଲା ସଂଗଠକ ସୁରେନ୍ଦ୍ରନାଥ ଜେନା ଓ ଅଧ୍ୟାପକ ଉତ୍ତମ ପାଇକରାୟ । ଦ୍ୱିତୀୟ ଦିବସର ପ୍ରାତଃ କାଳରେ ସମାଧି ପୀଠରେ ସମବେତ ଧ୍ୟାନ ଓ ପ୍ରାର୍ଥନା କରାଯିବା ପରେ ଦଳଗତ ଆଲୋଚନା ହୋଇଥିଲା।

ଏହାପରେ “ଅସ୍ପୃହା ଓ ଭଗବତ କରୁଣା ଉପରେ ଆଧ୍ୟାତ୍ମିକ ଆଲୋଚନା କରାଯାଇଥିଲା । ଅପରାହ୍ନରେ ସାଂଗଠିକ ଆଲୋଚନାରେ ” ଦୈନ୍ୟ ଦିନ ଜୀବନରେ ଶ୍ରୀ ଅରବିନ୍ଦ ପାଠଚକ୍ରର ଆବଶ୍ୟକତା ଉପରେ ଅପାଭାଇମାନେ ଅଂଶ ଗ୍ରହଣ କରିଥିଲେ । ରାତ୍ରୀ ଅଧିବେଶନରେ ” ଦିବ୍ୟ ଉପସ୍ଥିତି “ଉପରେ ଆଧ୍ୟାତ୍ମିକ ଆଲୋଚନା କରାଯାଇଥିଲା। ଏଥିରେ ଆଲୋଚ଼କ ଥିଲେ ସାଧକ ପ୍ରଭାତ କୁମାର ନାୟକ, ଅଧ୍ୟାପକ ଉତ୍ତମ ପାଇକରାୟ, ଜିଲ୍ଲା ସଂଗଠକ ସୁରେନ୍ଦ୍ର ନାଥ ଜେନା ଓ ବାଲୁଗାଁସ୍ଥ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ସଂପାଦକ ପ୍ରକାଶ କୁମାର ମହାପାତ୍ର। ଅଧିବେଶନ ଶେଷରେ ଭାରତର ଆଧ୍ୟାତ୍ମିକ ପତାକାକୁ ଅବତରଣ କରାଯାଇଥିଲା । ପତାକାକୁ ଅବତରଣ କରିଥିଲେ ଡାକ୍ତର କୃଷ୍ଣଚ଼ନ୍ଦ୍ର ପରିଡା । ସମସ୍ତ କାର୍ଯ୍ୟକ୍ରମରେ ବଡ଼ପଦରସ୍ଥ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଂପାଦିକା ଡାକ୍ତର ସୁଧାଙ୍ଗିନୀ ହରିଚନ୍ଦନ ଉପସ୍ଥିତ ଥିବା ବେଳେ ଏଥିରେ ସହଯୋଗ କରିଥିଲେ ଜ୍ଞାନ ମନ୍ଦିରର ସମସ୍ତ ଅପାଭାଇ ।

ଶ୍ରୀ ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି