କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ଗୁରୁତର ରୂପ ଧାରଣ କରିବା ଓ ଚୋରି ଡକାୟତି ନିୟନ୍ତ୍ରଣ ଲାଗି ବିଭିନ୍ନ ଛକମାନଙ୍କରେ ସିସିଟିଭି ଲଗାଇବା ପାଇଁ ସର୍ଭେ ହୋଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ ନିର୍ଦ୍ଦେଶକ୍ରମେ ଏନ୍ଏସି କର୍ତ୍ତୃପକ୍ଷଙ୍କ ଆଦେଶ ଅନୁସାରେ କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା, ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ସମେତ ଏକ ଟେକ୍ନିକାଲ ଟିମ୍ , ଅନ୍ୟାନ୍ୟ ଏନ୍ଏସି ଓ ପୋଲିସ କର୍ମଚାରୀମାନେ ୧୨ ଟି ଓ୍ବାର୍ଡ ସହ ୨୬ ନଂ ଜାତୀୟ ରାଜପଥ ର ବିଭିନ୍ନ ଛକ ବୁଲି ଦେଖିଥିଲେ। ସର୍ଭେ ଅନୁସାରେ ଏନ୍ଏସିର ୧୨ଟି ଓ୍ବାର୍ଡ ଓ ରାଜପଥ ଛକରେ ସମୁଦାୟ ୭୦ଟି ସିସିଟିଭି କ୍ୟାମେରା ଲାଗିବାକୁ ଥିଲାବେଳେ ପ୍ରଥମ ପର୍ଯ୍ୟାୟରେ ୨୫ ଟି ସିସିଟିଭି କ୍ୟାମେରା ଲାଗିବ। ଏହି କ୍ୟାମେରାଗୁଡିକ ମଧ୍ୟ ବିଭିନ୍ନ ପ୍ରକାରର ଲଗାଯିବ ବୋଲି ସ୍ଥିର ହୋଇଛି। ଏହି କ୍ୟାମେରାଗୁଡିକ ମଧ୍ୟରୁ କେତେକ ଅଟୋମେଟିକ୍ ଭାବେ ଯାନବାହାନର ବିଭିନ୍ନ ସମସ୍ୟା ଉପରେ ଫଟୋ ଉତ୍ତୋଳନ କରିବାକୁ ଥିବାବେଳେ ଆଉ କେତେକ କ୍ୟାମେରା ଚୋରି, ଡକାୟତି, ହିଂସା ଆଦି ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ବ୍ୟବସ୍ଥା ରହିଛି।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ