ବାଲିଅନ୍ତା,୨୪|୭(ଗୋବର୍ଦ୍ଧନ ଦାସ):ପୁରୁଣା ଜଗନ୍ନାଥ ସଡ଼କ ହିରାପୁରସ୍ଥିତ ଗଡ଼କଣ୍ଡୁଣିଆ ନିକଟସ୍ଥ ଶ୍ରୀସୁଦର୍ଶନଙ୍କ ଦାରୁସ୍ଥଳୀରେ ଶନିବାର ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଯାଇଛି। ପ୍ରତ୍ୟୁଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ରଥିଜେମାସ୍ଥିତ ମା’ ଭଗବତୀ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଚତୁଦ୍ଧାମୂର୍ତ୍ତିଙ୍କ ମଙ୍ଗଳଆଳତୀ, ମଇଲମ ଅବକାଶ ଆଦି ରୀତିନୀତି ଅନୁସାରେ ନୀତିକାନ୍ତି କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୨ ଟାରେ ଶ୍ରୀବିଗ୍ରହଙ୍କୁ ଧାଡି ପହଣ୍ଡି ବିଜେ ପରେ ଚତୁଦ୍ଧାମୂର୍ତ୍ତିଙ୍କୁ ରଥାଋଢ଼ କରାଯାଇଥିଲା। ପ୍ରାୟ ସାଢେ ୨ ଟାରେ ରାଜା ନବକିଶୋର ନାୟକ ଛେରାପହଁରା କରିବା ପରେ ପ୍ରାୟ ସାଢେ ୪ ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ଘଣ୍ଟାଘଣ୍ଟ, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଜଗନ୍ନାଥ ସଡ଼କ l

ଭକ୍ତମାନେ ଭକ୍ତିଭାବରେ ରଥକୁ ଟାଣିଥିଲେ l ସନ୍ଧ୍ୟା ୬ଟାରେ ସୁଦର୍ଶନଙ୍କ ଦାରୁସ୍ଥଳୀରେ ରଥ ପହଞ୍ଚିଥିଲା। ଏହି ଅବସରରେ ଲାୟନ୍ସ କ୍ଳବ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନିମନ୍ତେ ମୃଦୁପାନୀୟ ଏବଂ ବିସ୍କୁଟ ବଣ୍ଟନ କରିଥିଲେ l ଶନିବାର ବିଗ୍ରହଙ୍କ ସୁନାବେଶ, ରବିବାର ଅଧରପଣା ଏବଂ ସୋମବାର ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ କରାଯିବ। ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି ମହାପ୍ରଭୁଙ୍କ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଚଳିତବର୍ଷ ମହାପ୍ରଭୁଙ୍କ ଏହି ଯାତ୍ରାର ନୂତନ ବିଗ୍ରହକୁ ନୂତନ ରଥ ଆଦି ନବକଳେବର ହୋଇଥିବା ବେଳେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତଙ୍କସଂଖ୍ୟା ଅଧିକ ହୋଇଥିଲା l ଫଳରେ ଜଗନ୍ନାଥ ସଡ଼କ ରାସ୍ତା ଗାଡି ଚଳାଚଳ ବନ୍ଦ ଥିବା ବେଳେ ପୁରୀ ମୁଖ୍ୟକେନାଲ ଦେଇ ଯାନବାହାନ ଚଳାଚଳ ହୋଇଥିଲା l ଫଳରେ ରାସ୍ତା ସଂକୁଚିତ ଥିବାରୁ ଟ୍ରାଫିକ ସମସ୍ୟା ଜଟିଳ ହୋଇଥିଲା l ବାଲିଅନ୍ତା ଥାନା ପୁଲିସ ଟ୍ରାଫିକ ସମସ୍ୟା ସରଳ କରିଥିଲେ ମଧ୍ୟ ଉକ୍ତ କେନାଲ ବନ୍ଧ ରାସ୍ତା ସଂକୋଚିତ ଥିବାରୁ ସମସ୍ୟା ଦେଖାଦେଇଥିଲା l ଏହାକୁ ଦୃଷ୍ଟିରେ ରଖି ଆସନ୍ତାବର୍ଷ ପୁରୁଣା ଜଗନ୍ନାଥ ସଡ଼କ ଏବଂ ପୁରୀ ମୁଖ୍ୟକେନାଲ ବନ୍ଧ ରାସ୍ତା ଚଉଡା କରିବାପାଇଁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି l ସେହିପରି ଝିଣ୍ଟିଶାସନ ମୁଦୁଲୀ ସାହିରେ ମଧ୍ୟ ଅନୁରୂପ ଭାବେ ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଛି l