ସରପଞ୍ଚଙ୍କ ମହାନତା ,ନଦୀର ପ୍ରଖର ସୁଅରେ ଦେଢ଼ ବର୍ଷର ଶିଶୁକନ୍ୟାକୁ ନଦୀ ପାରକଲେ


ବାଲିଅନ୍ତା,୯|୬ (ଗୋବର୍ଦ୍ଧନ ଦାସ):ପୁଣ୍ୟତୋୟା ଭାର୍ଗବୀ ନଦୀର ପ୍ରଖର ସୁଅରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟାକୁ କାଖରେ କାଖେଇ ନଦୀ ପାର କରି ମହାନତାର ପରିଚୟ ଦେଇଛନ୍ତି ବାଲିଅନ୍ତା ବ୍ଲକ ଝିଣ୍ଟିଶାସନ ପଞ୍ଚାୟତର ସରପଞ୍ଚ ସିତୁ ଓରଫ ଅଜିତ କୁମାର ପାତ୍ର l ଭାର୍ଗବୀ ନଦୀ ଅପରପାର୍ଶ୍ୱରେ ଥିବା ତେରବାଟିଆ ଗ୍ରାମର ଜଣେ ମହିଳା ଭୁବନେଶ୍ୱରରୁ ଆମ ବସରେ ଆସି ଝିଣ୍ଟିରେ ଓହ୍ଲାଇଥିଲେ l ନଦୀ ଆରପଟେ ଥିବା ତାଙ୍କ ଗ୍ରାମକୁ ଯିବାପାଇଁ ଅପେକ୍ଷା କରିଥିଲେ l ସାଙ୍ଗରେ ଥିଲେ ୭ /୮ ବର୍ଷର ପୁଅ ଓ ଦେଢ଼ ବର୍ଷର ଶିଶୁକନ୍ୟା l ମାତ୍ର ନଦୀରେ ପାଣି କମ ଥିଲେ ମଧ୍ୟ ଶୁଅ ଅଧିକ ଥିଲା l ଏକସଙ୍ଗେ ୨ ଟି ପିଲାଙ୍କୁ ନେଇ ନଦୀ ପାର ହେବା ନିଜକୁ ନିରାପଦ ମଣିନଥିଲେ ମହିଳା l ଫଳରେ ଭୟଭୀତ ଅବସ୍ଥାରେ ମହିଳା ଜଣଙ୍କ ସେଠାରେ ଠିଆ ହୋଇଥିଲେ l କୌଣସି କାମରେ ସରପଞ୍ଚ ଅଜିତ ନଦୀକୁ ଯାଇଥିଲେ l ସେ ମହିଳାଙ୍କ ଏଭଳି ଅବସ୍ଥା ଦେଖି ପଚାରିଥିଲେ l ମହିଳା ତାଙ୍କ ସମସ୍ୟା କହିବାପରେ ସରପଞ୍ଚ ଦେଢ଼ବର୍ଷର ଶିଶୁକନ୍ୟାକୁ କାଖରେ ଧରି ମହିଳା ଓ ତାଙ୍କ ପୁଅଙ୍କୁ ନେଇ ନଦୀର ଅପରପାର୍ଶ୍ଵକୁ ପାର କରିଥିଲେ l ତାଙ୍କର ଏହି ମହାନ କାର୍ଯ୍ୟପାଇଁ ମହିଳା ଓ ତାଙ୍କ ୨ ପିଲା ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଥିବା ବେଳେ ଉପସ୍ଥିତ ଲୋକେ ସରପଞ୍ଚଙ୍କୁ ସାଧୁବାଦ ଦେଇଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଝିଣ୍ଟିଶାସନ ପଞ୍ଚାୟତର ୨ ଟି ୱାର୍ଡ ଭାର୍ଗବୀ ନଦୀର ଅପରପାର୍ଶ୍ୱରେ ରହିଛି l ପଞ୍ଚାୟତରେ କୌଣସି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ନଦୀରେ ସର୍ବଦା ଭରାଜଳ ଥିବାରୁ ଲୋକେ ୧୫/୨0 କିମି ଦୂର ବୁଲିକି ଆସନ୍ତି l ଲୋକଙ୍କ ଏହି ସମସ୍ୟାକୁ ଲକ୍ଷ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଗତ ୪ ବର୍ଷ ତଳେ ଏଠାରେ ଏକ ସେତୁ ନିର୍ମାଣ ଚାଲିଛି l ମାତ୍ର ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ l ପାଖାପାଖି ଶତକଡା ୮0 ଭାଗ କାମ ସରିଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଆଉ ମାତ୍ର ଶତକଡା ୨0 ଭାଗ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ l ଫଳରେ କିଛି ଲୋକେ ବିପଦଜନକ ଭାବେ ନଦୀ ପାର ହେଉଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page