ଭୁବନେଶ୍ୱର -୧୧/୧୧ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ସମ୍ପ୍ରତି ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇଯାଇଛି | ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନଭେମ୍ବର ୯ ଏବଂ ୧୦ ତାରିଖରେ ଦୁଇ ଦିନଧରି ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା| ପ୍ରଥମ ଦିନ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ଶାସନ ସଚିବ ଡ଼ ସୁରେଶ ଚନ୍ଦ୍ର ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ ବିଭାଗର କର୍ମଚାରୀ ମାନଙ୍କ ସହଯୋଗ ଓ କାର୍ଯ୍ୟ କରିବାର ଶୈଳୀକୁ ପ୍ରଶଂସା କରିଥିଲେ | ବିଭାଗର ଦାୟିତ୍ୱରେ ଥିବାବେଳେ ଓଡ଼ିଶା ପାଇଁ ଯେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଥିଲା, ତାହା ପ୍ରାୟ ସମ୍ପୁର୍ଣ୍ଣ ହୋଇଛି ସେଥିପାଇଁ ବିଭାଗର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ଅଭିନନ୍ଦନ ଜଣାଇଥିଲେ | କାର୍ଯ୍ୟ ବ୍ୟସ୍ତତା ସହ ପରିବାରର ସୁଖ ଦୁଃଖ ଭିତରେ ବର୍ଷକୁ ଥରେ ସାଂସ୍କୃତିକ ଉତ୍ସବ ପାଳନ କରିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀମତି ମନସ୍ଵିନୀ ସାହୁ , ଉପ ଶାସନ ସଚିବ ବନ୍ଦନା ମିଶ୍ର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭାଗର କର୍ମଚାରୀ ତପସ୍ୱିନୀ, ସମ୍ଭବ ଓ ଛୋଟରାୟଙ୍କ ମିଳିତ ସମ୍ବଲପୁରୀ ନୃତ୍ୟ ପରିବେଷଣ ଏବଂ ଉତ୍ତମଙ୍କର ମ୍ୟାଜିକ ସୋ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ଶ୍ରୀ ନାରାୟଣ ମଲ୍ଲିକ୍ ଓ ଶ୍ରୀ ପ୍ରମୋଦ କୁମାର ନନ୍ଦଙ୍କ ଦୃଢ ନେତୃତ୍ୱ ଦେବାନନ୍ଦ ସୋନିଙ୍କ ନିର୍ଦ୍ଦେଶନାରେ କ୍ଷୁଦ୍ର ନାଟକ “ମୃଦଙ୍ଗେ ମହାବ୍ରହ୍ମ” ଦର୍ଶକଙ୍କ ମନମୋହିଥିଲା |

ଦ୍ୱିତୀୟ ଦିନରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଆଜି ଆମେ ଯେଉଁ ଐତିହ୍ୟ ସମ୍ପର୍ଣ୍ଣ ଓଡ଼ିଶାର ଚିତ୍ର ଦେଖୁଛେ ତାହାର ମୂଳଦୁଆ ସେତେବେଳଠୁଁ ପଡିଥିଲା ଯାହାକି ଆଜି ଦ୍ରୁମ ଭାବରେ ଠିଆ ହୋଇଛି ବୋଲି ମତପ୍ରକାଶ କରିଥିଲେ | ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତି ମନସ୍ବିନୀ ସାହୁ , ଅର୍ଥ ପରାମର୍ଶଦାତା ତଥା ଯୁଗ୍ମଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମଣ୍ଡଳ , ଉପ ଶାସନ ସଚିବ ଶ୍ରୀମତି ବନ୍ଦନା ମିଶ୍ର ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିବାବେଳେ ଗତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଉପଢୌକନ, ମାନପତ୍ର ଏବଂ ସ୍ମୃତି ଫଳକ ପ୍ରଦାନ କରିଥିଲେ । ରବୀନ୍ଦ୍ର ସାହୁଙ୍କ ରଚନା, ସୌମ୍ୟ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ “ଭାଗ୍ୟ ହାତେ ବନ୍ଧା ଜୀବନ ଡୋରୀ”ରେ ମାନସ ପରିଡ଼ା ,ଜିତେନ୍ଦ୍ର ପଟନାୟକ ,ପ୍ରଶାନ୍ତ ସାହୁ,ସତ୍ୟବ୍ରତ ସାମଲ ଲଲାଟେନ୍ଦୁ ମହାନ୍ତି ,ନାରାୟଣ ମଲ୍ଲିକ ,ସମୀର ସାହୁ ,ରଞ୍ଜନ ଦାସ , ଜିତ୍ରାୟ ହାଁସଦା, ଛୋଟରାୟ କିସ୍କୁ ,ପ୍ରମୋଦ ନନ୍ଦ ,ଗୀତା ଦାସ,ଶୁଭଲକ୍ଷ୍ମୀ ,ଅନନ୍ୟା ,ବ୍ରଜ ,ଜ୍ଞାନେନ୍ଦ୍ର ,ବିନୋଦ ,ବୀରେନ୍ଦ୍ର, ଶୁଭସ୍ମିତା ,ଶୁଭଙ୍କର ଆଦି ଅତି ନିଖୁଣ ଭାବରେ ନାଟକଟିକୁ ପରିବେଷଣ କରିଥିଲେ | ସମ୍ପାଦକ ଲଲାଟେନ୍ଦୁ ମହାନ୍ତି ଧନ୍ୟବାଦ ଦେଇଥିବାବେଳେ, ସଭାପତି ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କର ସହଯୋଗ ସେମିତି ସବୁଦିନ ପାଇଁ ରହିବ ବୋଲି ଆଶାପୋଷଣ କରିଥିଲେ |