ଚିଲିକା, ୭।୮:ବାଲୁଗାଁ ଅଞ୍ଚଳର ସୁପରିକଳ୍ପିତ ଏବଂ ସ୍ଥାୟୀ ବିକାଶ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବାଲୁଗାଁ ପ୍ଲାନିଂ ଏରିଆ ପାଇଁ GIS/RS ଆଧାରିତ ମାଷ୍ଟର ପ୍ଲାନ–୨୦୫୧ ର ଉପସ୍ଥାପନାର ସମୀକ୍ଷା କରାଯାଇଛି।ବୈଠକରେ ସୂଚନା ଦିଆଯାଇଛି ଯେ, ଆଧୁନିକ GIS/RS ପ୍ରଯୁକ୍ତିକୁ ଆଧାର କରି ପ୍ରସ୍ତୁତ ହେଉଥିବା ଏହି ଦୀର୍ଘମିଆଦି ମାଷ୍ଟର ପ୍ଲାନ ବାଲୁଗାଁର ସୁବ୍ୟବସ୍ଥିତ ନଗରୀକରଣର ରୋଡ୍ ମ୍ୟାପ୍ ହେବ। ଏଥିରେ ଉନ୍ନତ ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ଜନସାଧାରଣଙ୍କ ପାଇଁ ନାଗରିକ ସୁବିଧା ଏବଂ ପରିବେଶ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଛି। ବିଶ୍ୱପ୍ରସିଦ୍ଧ ଚିଲିକା ହ୍ରଦର ପରିବେଶୀୟ ଗୁରୁତ୍ୱକୁ ଅକ୍ଷୁର୍ଣ୍ଣ ରଖି ଯୋଜନାବଦ୍ଧ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମାଷ୍ଟର ପ୍ଲାନରେ ଜଳାଶୟ ଓ ସବୁଜ କ୍ଷେତ୍ରର ସଂରକ୍ଷଣ, ଉନ୍ନତ ସଡ଼କ ନେଟୱାର୍କ ଏବଂ ସାମାଜିକ-ଆର୍ଥିକ ଭିତ୍ତିଭୂମିର ବିକାଶ ସହ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇଛି।
ସରକାରଙ୍କ ତରଫରୁ କୁହାଯାଇଛି, ଲୋକେନ୍ଦ୍ରିକ, ବୈଜ୍ଞାନିକ ଓ ଦୂରଦର୍ଶୀ ଯୋଜନା ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ସହର ଓ ଅଞ୍ଚଳକୁ ସୁପରିକଳ୍ପିତ, ଆଧୁନିକ ଏବଂ ବିକଶିତ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ। ଏହି ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ହେଲେ ବାଲୁଗାଁ ଏକ ଆଦର୍ଶ ନଗରୀ ଭାବେ ଗଢି ଉଠିବ ବୋଲି ଆଶା କରାଯାଉଛି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି