ରାଉରକେଲା, ୧୦/୦୮: ଏକ ଘଣ୍ଟାର ମୂଷଳଧାରା ବର୍ଷାରେ ରାଉରକେଲା ରେଳ ଷ୍ଟେସନ୍ ସମ୍ମୁଖରେ ନିର୍ମିତ ଏକ ଷ୍ଟ୍ରକଚରାଲ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣା ଆଜି ସକାଳେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେଡ୍ ତଳେ ପାର୍କିଂ ହୋଇଥିବା ଏକ କାର୍ ସମେତ କିଛି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଘଟଣାରେ ଏକାଧିକ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୋମବାର ସକାଳେ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କୁ ନେବା ପାଇଁ ରାଉରକେଲା ରେଳ ଷ୍ଟେସନ୍କୁ ଆସିଥିଲେ। ଏହି ସମୟରେ ତାଙ୍କ କାର୍ଟି ଷ୍ଟେସନ୍ ସମ୍ମୁଖରେ ଥିବା ଷ୍ଟ୍ରକଚରାଲ ସେଡ୍ ତଳେ ପାର୍କିଂ ହୋଇଥିଲା। ହଠାତ୍ ସେଡ୍ଟି ଭୁଶୁଡ଼ି ପଡ଼ିବାରୁ କାର୍ଟି କ୍ଷତିଗ୍ରସ୍ତ ହେବା ସହ ନିକଟରେ ଥିବା କିଛି ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ, ଶ୍ରାବଣ ମାସର ସୋମବାର ହୋଇଥିବାରୁ ଷ୍ଟେସନ୍ ଅଞ୍ଚଳରେ ସାଧାରଣ ଦିନ ତୁଳନାରେ ଅଧିକ ଜନଗହଳି ଥିଲା। ଏଭଳି ସମୟରେ ସେଡ୍ଟି ଭୁଶୁଡ଼ି ପଡ଼ିବା ଯୋଗୁଁ ଏକ ବଡ଼ ଅଘଟଣର ଆଶଙ୍କା ସୃଷ୍ଟି ହୋଇଥିଲା।

ତେବେ ସୌଭାଗ୍ୟବଶତଃ କୌଣସି ବଡ଼ଧରଣର ଅଘଟଣ ଘଟିନଥିଲା। ମାତ୍ର କିଛି ମାସରେ ଭୁଶୁଡ଼ିଲା ସେଡ୍! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି—ମାତ୍ର କିଛି ମାସ ତଳେ ନିର୍ମିତ ହୋଇଥିବା ଏହି ଷ୍ଟ୍ରକଚରାଲ ସେଡ୍ ମାତ୍ର ପ୍ରାୟ ଏକ ଘଣ୍ଟାର ମୂଷଳଧାରା ବର୍ଷାକୁ କିପରି ସହିପାରିଲା ନାହିଁ? ଘଟଣାକୁ ନେଇ ସାଧାରଣରେ ଏହି ପ୍ରଶ୍ନ ଉଠିଥିବା ବେଳେ, ସେଡ୍ର ନିର୍ମାଣ ମାନ ଓ ବ୍ୟବହୃତ ସାମଗ୍ରୀର ଗୁଣବତ୍ତାକୁ ନେଇ ମଧ୍ୟ ବୁଦ୍ଧିଜୀବୀ ମହଲରେ ସନ୍ଦେହ ପ୍ରକାଶ ପାଇଛି। ତେବେ ସେଡ୍ଟି କେଉଁ କାରଣରୁ ଭୁଶୁଡ଼ିଲା, ଏହାର ନିର୍ମାଣରେ କୌଣସି ତ୍ରୁଟି ରହିଥିଲା କି ନାହିଁ, ବର୍ଷାର ପ୍ରଭାବ କେତେଦୂର ଦାୟୀ ଏବଂ ନିର୍ମାଣର ମାନ କିପରି ଥିଲା—ତାହା ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ଘେରାବନ୍ଦି, ଯାତାୟତ ନିଷେଧ; ଯାତ୍ରୀ ହଇରାଣ ଅଘଟଣ ପରେ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆର.ପି.ଏଫ୍ ପକ୍ଷରୁ ଘେରାବନ୍ଦି କରାଯାଇ ଯାତାୟତ ନିଷେଧ କରାଯାଇଛି। ଫଳରେ ରେଳ ଷ୍ଟେସନ୍ର ମୁଖ୍ୟ ପ୍ରବେଶପଥ ଦେଇ ଯାତ୍ରୀଙ୍କ ଆଗମନ ଓ ପ୍ରସ୍ଥାନରେ ସମସ୍ୟା ସୃଷ୍ଟି ହୋଇଛି। ଷ୍ଟେସନ୍କୁ ଆସୁଥିବା ଯାତ୍ରୀ ଓ ସେମାନଙ୍କ ସମ୍ପର୍କୀୟମାନେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଘଟଣାସ୍ଥଳରେ ଅଧିକାରୀଙ୍କ ଯାଞ୍ଚ :ଘଟଣାର ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ, ରାଉରକେଲା ବିଧାୟକଙ୍କ ସମେତ ଆରପିଏଫ୍ ଓ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଡ୍ ଭୁଶୁଡ଼ିବାର କାରଣ ନେଇ ଯାଞ୍ଚ ଓ ଅନୁସନ୍ଧାନ ଆରମ୍ଭ ହୋଇଥିବା ବେଳେ, ଭଙ୍ଗା ଷ୍ଟ୍ରକଚର୍କୁ ଶୀଘ୍ର ହଟାଇବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ପ୍ରକୃତ କାରଣ ଓ ନିର୍ମାଣର ମାନ ସମ୍ପର୍କରେ ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ତେବେ ନୂଆ ନିର୍ମାଣ ଏତେ ଶୀଘ୍ର ଭୁଶୁଡ଼ି ପଡ଼ିବା ଘଟଣା ରେଳ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ନିଶ୍ଚିତ ଭାବେ ଅନେକ ପ୍ରଶ୍ନ ଛିଡ଼ା କରିଛି।
ପ୍ରତାପ ପାଢ଼ୀଙ୍କ ରିପୋର୍ଟ ରାଉରକେଲା