ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ  ସଙ୍ଗୀତ  ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି  ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। 1989 ମସିହା ଠାରୁ ଆରମ୍ଭ ହୋଇଛି ଏହି କୋଣାର୍କ ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ୍ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେ କୌଣସି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ,ନୃତ୍ୟ ଅନୁଷ୍ଠାନ କୋଣାର୍କ ନାଟ୍ୟ ମଣ୍ଡପରେ ପାଦ ଥାପିବା ପାଇଁ ସ୍ଵପ୍ନ ଦେଖୁଥାନ୍ତି। ସେମାନଙ୍କ ଜୀବନ ସାଧନା ମାର୍ଗରେ ଅନୁରଣିତ ହେଉଥାଏ  କୋଣାର୍କ ନୃତ୍ୟ ଉତ୍ସବ। ଅନ୍ତତଃ ଥରେ ସେ ସୁଯୋଗ ମିଳୁ ଜୀବନ କାଳରେ । ଡିସେମ୍ବରର ସେ ପାହାନ୍ତି ଶୀତୁଆ ପାଗରେ ସଜେଇହୋଇଛି କୋଣାର୍କ। ପାଛୋଟି ନେଇଛି ତା କୋଳକୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ସ୍ଵପ୍ନଭୁକ୍ ଶିଳ୍ପୀ ମାନଙ୍କୁ। ସୂର୍ଯ୍ୟ ମନ୍ଦିରରେ  ରବିଙ୍କ ଏହି ରବିବାରରୁ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। କବି, ସାହିତ୍ୟିକ, ନୃତ୍ୟାଙ୍ଗନା, ଶିଳ୍ପୀ, ନାଟ୍ୟକାର , ପ୍ରଶାସକ, ରାଜନୈତିକ

ନେତୃମଣ୍ଡଳୀ – ସବୁ ଶ୍ରେଣୀର, ସବୁ ପର୍ଯ୍ୟାୟର ଜନନାୟକ ମାନଙ୍କର ମଧୁର ମିଳନ।  ଚନ୍ଦ୍ରଭାଗାର ଏ ଏକ ଶାଶ୍ୱତ ଆହ୍ଵାନ। ଦେଶ ବିଦେଶରୁ ଆସିଛନ୍ତି ବାଲୁକାଶିଳ୍ପୀ ଚନ୍ଦ୍ରଭାଗା କୂଳକୁ ଆଉ କୋଳକୁ । ପାଞ୍ଚଦିନ ଧରି ସେମାନଙ୍କ ଏହି ସ୍ଵର ଓ ସ୍ଵାକ୍ଷରକୁ ବହନ କରିବା ଚନ୍ଦ୍ରଭାଗର କୋଳ ଆଉ କୁଳ l ମନେ ହୁଏ ଏ ଉତ୍ସବରେ କୋଣାର୍କର ସେ ଦିନର ସେ ଶିଳ୍ପୀ ଗଢି ତୋଳିଥିବା ପଥର ମୂର୍ତ୍ତି ବି ମଧୁର ମୂର୍ଚ୍ଛନାରେ ନାଚୁଛନ୍ତି, ଗାଉଛନ୍ତି ଆଉ ସ୍ଵର ତୋଳୁଛନ୍ତି ବାଦ୍ୟରେ ଆଉ ଗାୟନରେ । ମହୁ ଆଉ ମୋହରେ ଜୀବନ ଦର୍ଶନକୁ ଖୋଜୁଛନ୍ତି ଏକ ଆତ୍ମିକ ଶୋଚନାରେ । ଶେଷକୁ ଏକ ଆଧ୍ୟାତ୍ମିକ ଚେତନାରେ ଉଦଭାସିତ ହେବେ ଏହି ଶିଳ୍ପୀକୂଳ ଏଇ ହେଉଛି ଉତ୍କଳୀୟ ସାଂସ୍କୃତିକ ପରମ୍ପରାର ଐତିହ୍ୟଓ ଭିତ୍ତିଭୂମି । ଏହି ଉତ୍ସବକୁ ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ ଘାଟନ କରିଛନ୍ତି ତାଙ୍କ ସହିତ ଉପସ୍ଥିତ ଥିଲେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂହପୁରର  ମାନ୍ୟବର ସାଂସଦ ଡ଼. ବିଭୁ ପ୍ରସାଦ ତରାଇ, ମାନ୍ୟବର ବିଧାୟକ ପିପିଲି ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ ସତ୍ୟବାଦୀ ଓମ ପ୍ରକାଶ ମିଶ୍ର , ମାନ୍ୟବର ବିଧାୟିକା ବ୍ରହ୍ମଗିରି ଉପାସନା ମହାପାତ୍ର, ମାନ୍ୟବର ବିଧାୟକ କାକଟପୁର ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତସିଂହ ,ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶକ ସମର୍ଥ ବର୍ମା,  ପୁରୀର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News