କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଜି(ଶନିବାର)ଠାରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା,ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ପାଳନ ପାଇଁ କଳସ ଯାତ୍ରା ଆରମ୍ଭ ହୋଇ ଯାଇଛି |୨୧ ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ମଙ୍ଗଳବାର ଦିନ ଶେଷ ହେବ। ଏଥିପାଇ ସମଗ୍ର ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି | ଶନିବାର ସକାଳୁ ସ୍ଥାନୀୟ ଗୋନ୍ତିୟା ଙ୍କ ଘରୁ ପୂଜାର୍ଚ୍ଚନା ପରେ ମାଆ ଙ୍କ ଘଟକୁ ତେନ୍ତୁଲିଆ ପଡ଼ାସ୍ଥିତ ମନ୍ଦିର ପୂଜକ ଙ୍କ ଘରକୁ ନେଇଁ ସେଠାରେ ପୂଜର୍ଚ୍ଚନା ପରେ ବହୁ ଆଡ଼ମ୍ବରରେ ମାଆଙ୍କ ଘଟନଗର ପରିକ୍ରମାରେ ବାହାରିଥାଏ।ଧର୍ମଗଡ ସହର ସାହି ପଡିଶା ର ମହିଳା ମାନେ ନିଜ ନିଜର ଦାଣ୍ଡ ଦୁଆର କୁ ଲିପା ପୋଛା କରିବା, ଝୋଟି ଦେଇ ମାଆ ଙ୍କ ସଦୃଶ୍ୟ କଳସ(ଘଟ)କୁ ବନ୍ଦାପନା କରି ସ୍ବାଗତ କରିଥାନ୍ତି। ତିନି ଦିନ ଧରି ସହର ର ସବୁ ସାହି ପରିକ୍ରମା ପରେ ଆସନ୍ତା ମଙ୍ଗଳବାର ଦିନ ମାଆଁ ଙ୍କ ଏହି ଘଟ ଯାତ୍ରା ଶେଷ ହେବ।ଧର୍ମଗଡ ର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଭଣ୍ଡାର ଘରଣୀ ।

ମା ଭଣ୍ଡାର ଘରଣୀ ଙ୍କ ଉପରେ ଅଂଚଳ ବାସୀଙ୍କ ରହିଛି ଆସ୍ଥା ଓ ବିଶ୍ବାସ ।ବର୍ଷ ତମାମ ଭକ୍ତ ମାନଙ୍କୁ ମା ନିଜ ମନ୍ଦିର ରେ ଦର୍ଶନ ଦେଉଥିବା ବେଳେ ମା ଙ୍କ ଚୈତ୍ର ପର୍ବ ସମୟରେ ମା ଙ୍କ ପ୍ରତିମା ସ୍ବରୂପ ଘଟ (କଳସୀ)ମନ୍ଦିର ରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତିଙ୍କ ଦୁଆର ମୂହଁରେ ଦର୍ଶନ ଦେଇଥାନ୍ତି ମା, ଭଣ୍ଡାରଘରଣୀ ।ଏହି ଚୈତ୍ର ପର୍ବ ସମୟରେ ଦୁଇ ଜଣ କୁଆଁରୀ ବାଳିକା ମା ଭଣ୍ଡାର ଘରଣୀ ଓ ମା ଠାକୁରାଣୀ ଙ୍କ ଘଟ ମୁଣ୍ଡରେ ଧାରଣ କରିଥାନ୍ତି। ଏହା ସହରର ସମସ୍ତ ଘରକୁ ଘର ପରିକ୍ରମା କରିଥାଏ । ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା ଙ୍କ ଯାତ୍ରା ର ଦିନେ ପୂର୍ବରୁ ମାଙ୍କ ଘଟ(କଳସୀ)କୁ କେଉଁ କୁଁଆରୀ କନ୍ୟା ଧାରଣ କରିବେ ତାହା ଉପରେ ମୂଖ୍ୟ ପୂଜକଙ୍କୁ ସ୍ବପ୍ନାଦେଶ ହୋଇଥାଏ।ତାପରେ ପୂଜକ ସେହି କୁଁଆରୀ କନ୍ୟା ଦୁଇଜଣ କୁ ମନ୍ଦିର କୁ ନେଇ ଆସନ୍ତି । ଏହା ପରେ ମାଁ ଙ୍କ ଘଟ ସହର ଅଭିମୁଖେ ବାହାରି ଥାଏ । ମା ଙ୍କ ଘଟ ସହର ପରିକ୍ରମା ବେଳେ ମା’ଙ୍କ ମନ୍ଦିରରେ ସ୍ଥାନୀୟ କିଛି ମହିଳା ଏବଂ ପୁରୁଷଙ୍କ ଦେହରେ କାଳିଶି ରୂପରେ ମା’ଙ୍କ ଆବିର୍ଭାବ ହୋଇଥାଏ।ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ଅତୁଟ ବିଶ୍ବାସ ରହିଛି।ଆଜି ମା’ ଙ୍କ ଘଟ ତୈନୁଳିଆ ପଡା ଠାରୁ ବାହାରି ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ମା’ ଙ୍କ ଚୈତ୍ର କାଳୀନ ଘଟ ଯାତ୍ରା ଶେଷ ହେବ। ମା’ ଙ୍କ ଏହି ଚୈତ୍ର ଘଟ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେଉଥିବାରୁ ଆୟୋଜକ କମିଟି ପକ୍ଷରୁ ରାତ୍ରିରେ ଘୁମୁରା, ନାଟକ ଆଦି ସାଂସ୍କୃତିକି କାର୍ଯ୍ୟକ୍ରମମାନ ରଖା ଯାଇଛି।ହେଲେ ପ୍ରଶାସନିକ କଟକଣା ସତ୍ତ୍ବେ ମା’ ଙ୍କ ଏହି ଚୈତ୍ର ଯାତ୍ରା ଶେଷଦିନ ରକ୍ତ ରଂଜିତ ହୋଇଥାଏ ମା ଭଣ୍ଡାରଘରଣୀଙ୍କ ପୀଠରେ | ବହୁ ସଂଖ୍ୟାରେ ମାନସିକ ଧାରୀ ମାନେ ଏଠାକୁ ଆସି ପଷୁ ଓ ପକ୍ଷୀ ବଳିଦେବାର ପରମ୍ପରା ରହି ଆସିଛି । ଯେକୌଣସି ଶୁଭ କାମ ଆରମ୍ଭ କରିବା ପୁର୍ବରୁ ପ୍ରଥମେ ମା’ଙ୍କ ମନ୍ଦିର କୁ ଦର୍ଶନ କରି ମା:ଙ୍କ ଆର୍ଶିବାଦ ଗ୍ରହଣ କରିଥାନ୍ତି ଅଂଚଳବାସୀ । ଯାହା ଫଳରେ କି ସମସ୍ତ କାମରେ ସୁଖ, ସମୃଦ୍ଧି ଓ ସଫଳତା ମିଳିଥାଏ ବୋଲି ବିଶ୍ବାସ ରହିଛି ବୋଲି କହିଛନ୍ତି ମୂଖ୍ୟ ପୂଜକ ଧନବଲ ମାଝୀ ।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି