ଚିଲିକା,୨୬।୫: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବୀ ନାଟ୍ୟକାର, ସମାଜ ସୁଧାର କ ତଥା ବାଣପୁର ବ୍ଲକର ପ୍ରଥମ ଚେୟାରମ୍ୟାନ ସ୍ଵର୍ଗତ ପରଶୁରାମ ହରିଚ଼ ନ୍ଦନଙ୍କ ୪୯ ତମ ଶ୍ରାଦ୍ଧୋତ୍ସବ ଓଡିଶା ସାହିତ୍ୟ ଏକାଡେମୀ ଏବଂ ପରଶୁରାମ ହରିଚନ୍ଦନ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ନିଜ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଠାରେ ପାଳିତ ହୋଇ ଯାଇଅଛିI ଏହି ଅବସରରେ ଗମ୍ଭାରୀ ମୁଣ୍ଡାସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ସ୍ମୃତି କମିଟିର ସଭାପତି ଗୋଲକ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ବିଜୟ କୁମାର ଶତପଥୀ, ବିଶିଷ୍ଟ ଅତିଥିଭାବେ ‘ ବିଶ୍ୱମୁକ୍ତି’ର ସଂପାଦକ ପ୍ରଫେସର ଡକ୍ଟର ଶଶାଙ୍କ ଶେଖର ଚୂଡ଼ାମଣି, ସମ୍ମାନୀତ ଅତିଥିଭାବେ ପରଶୁରାମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ, ମୁଖ୍ୟବକ୍ତା ସୁସାହିତ୍ୟିକ ଡକ୍ଟର ସତ୍ୟ ଷଢଙ୍ଗୀ, ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ ଓ ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ପ୍ରମୁଖ ଯୋଗଦେଇ ନାଟ୍ୟକାର ପରଶୁରାମ ହରିଚ଼ନ୍ଦନଙ୍କ ବହୁମୁଖୀ ପ୍ରତିଭାର ଆଲୋକ ପାତ କରିବା ସହ ସ୍ଵାଧୀନତା ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ସମବାୟ ଆନ୍ଦୋଳନ ଓ ହରିଜନ ମନ୍ଦିର ପ୍ରବେଶ ଆନ୍ଦୋଳନ ଆଦିର ସେ ନେତୃତ୍ଵ ନେଇ ନିଜର ପରାକାଷ୍ଠା ଦେଖାଇଥିଲେ । ତତ୍ ସହିତ ତାଙ୍କ ରଚିତ ନାଟକ ‘ବିପ୍ଲବୀ କୃତ୍ତିବାସ’,’ଅଭିଶପ୍ତ ଦୁର୍ଗ’,’ କପିଳେନ୍ଦ୍ର ଦେବ’ ଓ ‘ଚ୍ଛିନ୍ନାଙ୍ଗୀ’ ପ୍ରଭୃତି ନାଟକ ଅତି ଉଚ୍ଚକୋଟୀର ଥିଲା ବୋଲି ମତବ୍ୟକ୍ତ କରିଥିଲେ ।

ସଭା ଆରମ୍ଭରେ ଅତିଥିମାନେ ସ୍ବର୍ଗତ ପରଶୁରାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ସ୍ମୃତି କମିଟିର ସମ୍ପାଦକ ଡାକ୍ତର ସୁରେନ୍ଦ୍ର ନାଥ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ପୁତ୍ର ତଥା ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ,ଶିକ୍ଷକ ଦୁର୍ଗାଚରଣ ମହାରଣା,ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ I

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି