ମ. ରାମପୁରରେ ଅଷ୍ଟଶମ୍ଭୁ ମହାମିଳନ ଆୟୋଜିତ

କଳାହାଣ୍ଡି,୧୩|୪ (ପ୍ୟାରିଲାଲ ଦୁର୍ଗା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସହରର ବସଷ୍ଟାଣ୍ଡ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟଶମ୍ଭୁ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉକ୍ତ ବ୍ଲକ ଅଞ୍ଚଳର ୮ ଗୋଟି ପୀଠ ଗୁଡିକର ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମେ ପୁଜାପୀଠ ରେ ବନ୍ଦାଣ ଗାନ ପରେ ଲଟେରୀ ମାଧ୍ୟମରେ ସ୍ଥାନ ନିର୍ଦ୍ଧାରଣ ହୋଇଥିବା ଜାଗାରେ ପହଞ୍ଚି ଥିଲେ। ତଳ ସାଗର ପଡ଼ା ଦଣ୍ଡପୀଠ ( ଦୁର୍ଗା ମଣ୍ଡପ), ବୁରାଟ ଦଣ୍ଡପୀଠ ( ପୁରୁଣା ଥାନା ସମ୍ମୁଖ) , ଆମ୍ବ ଗାଁ ବାବୁ ପଡ଼ା( ପୀଠ ର ଦକ୍ଷିଣ ପାର୍ଶ୍ୱ, ବମକ ଦଣ୍ଡପୀଠ ( ଶଥପତି ଡିଜିଟାଲ), ଶୁଣ୍ଢିପଡ଼ା ଦଣ୍ଡପୀଠ ( କାହ୍ନା ହୋଟେଲ ସମ୍ମୁଖ), ଆମ୍ବ ଗାଁ ଖମାର ପଡ଼ା ଦଣ୍ଡପୀଠ( ମହାନ୍ତି ଛକ୍) , ପଣ୍ଡକାମାଲ ଦଣ୍ଡପୀଠ (ରାଜବାଟି ଛକ୍), ଓ ସେହିପରି ଅଇଁଲା ପାଳି ଦଣ୍ଡପୀଠ ( ଚାରିଛକ) ର ମା ଦଣ୍ଡକାଳୀ ସମୂହ କର୍ତ୍ତାଙ୍କ ବାସଭବନ ସମ୍ମୁଖରେ ଧୁଳିଦଣ୍ଡ ସମାପନ ପରେ ସହରର ବିଭିନ୍ନ ଜଳାଶୟ ଗୁଡ଼ିକଠାରେ ପାଣିଦଣ୍ଡ ଭାଙ୍ଗି ବସଷ୍ଟାଣ୍ଡ୍ ପୂଜା ମଣ୍ଡପ ଠାରେ ମହାମିଳନ ହୋଇ ଅଗ୍ନିଦଣ୍ଡ ସମାପନ କରିବା ସହ ସମସ୍ତ ଦଣ୍ଡ ଦଳ ପୂର୍ବ ପ୍ରସ୍ତୁତି ପ୍ରକାରେ ବିଭିନ୍ନ ସାହି ପରିକ୍ରମା କରି ନିଜନିଜ ଆସ୍ଥାନକୁ ପହଞ୍ଚି ଦଣ୍ଡ ସମାପନ କରିଥିଲେ। ପରେ ରାତ୍ର ସମୟରେ ଦଣ୍ଡନାଚର ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ସ୍ଥିର କରାଯାଇଛି । କମିଟି ର ସଭାପତି ଶ୍ରୀ ରୁଦ୍ର ପ୍ରତାପ ସିଂ ଓ ସଂପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ସାହିର କର୍ମକର୍ତ୍ତାମାନଙ୍କୁ ନେଇ ଗଠିତ ଆଞ୍ଚଳିକ କାମନା ଦଣ୍ଡ କମିଟି ଏହି ଦଣ୍ଡପୀଠ ଗୁଡିକର ସମସ୍ତ ଦାୟିତ୍ୱ ପରିଚାଳନା କରିଥିଲେ। ଏଥିରେ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏହି ପାବନ ଉତ୍ସବରେ ଯୋଗଦେଇ ମା’କାଳୀଙ୍କ ଦର୍ଶନ ଲାଭ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page