ସଫେଇ କର୍ମଚାରୀଙ୍କ ଧାରଣା, ୨ ମାସ ହେଲା ମିଳିନି ଦରମା

ବାଲିଅନ୍ତା,୧0|୬(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭିଙ୍ଗାରପୁର, ବେଣୁପୁର ଏବଂ ସରକଣା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ “ନିର୍ମଳ” ଯୋଜନା ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମାନେ ଗତ ୨ ମାସହେଲା ଦରମା ପାଇନାହାନ୍ତି l କର୍ମଚାରୀ ମାନେ ଏନେଇ ବାରମ୍ବାର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସଫଳ ମିଳିନାହିଁ l ଫଳରେ ଉପରୋକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୧୮ ଜଣ କର୍ମଚାରୀ ଆଜି ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ l ଏପରିକି ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ କରିଥିଲେ l ସେମାନଙ୍କ ଦାବି ପୂରଣ ନ ହେଲାପର୍ଯ୍ୟନ୍ତ ଏଭଳି ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ l ପ୍ରକାଶଥାଉକି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନତା ଏବଂ ଜରୁରୀକାଳୀନ ସେବା ଯୋଗାଇବା ନିମନ୍ତେ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ଏକ ଠିକା ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଆଯାଇଛି l ଏମାନେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫସୁତରା କରିବା ସହ ଦୁର୍ଘଟଣାରେ ଆହତ ମାନଙ୍କୁ ଡ୍ରେସିଂ ଭଳି ଜରୁରୀକାଳୀନ ସେବା ଯୋଗାଇଥାନ୍ତି l ଏମାନଙ୍କ ଦାୟିତ୍ୱସମ୍ପନ୍ନ କାମ ନିମନ୍ତେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨/୨ ଥର କୟାକଳ୍ପ ପୁରସ୍କାର ପାଇଛି l ମାତ୍ର ସମ୍ପୃକ୍ତ ଠିକା ସଂସ୍ଥା ଏମାନଙ୍କୁ ଦରମା ପ୍ରଦାନ କରିବାରେ ଅହେତୁକ ବିଳମ୍ବ କରିଥାନ୍ତି l କେତେବେଳେ ମାସ ଅଧା ବେଳକୁ ପୂର୍ବ ମାସର ଦରମା ଆସେ ତ ତେବେଳେ ୧/୨ ମାସ ବିଳମ୍ବରେ ଆସେ l ଏ ବିଷୟରେ ସମ୍ପୃକ୍ତ କର୍ମଚାରୀ ମାନେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସମସ୍ୟା ସମାଧାନ ହୋଇଥାଏ l ମାତ୍ର ଗତ ଏପ୍ରିଲ ଓ ମେ ୨ ମାସର ଦରମା ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ ମିଳିନାହିଁ l ସ୍ୱଳ୍ପ ଦରମା ପାଇଁ ନିଜ ପରିବାର ପ୍ରତିପୋଷଣ ନିମନ୍ତେ କର୍ମଚାରୀ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଏନେଇ କର୍ମଚାରୀ ମାନେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସମସ୍ୟା ଜଣାଇଥିଲେ l ମାତ୍ର କୌଣସି ସଫଳ ନ ମିଳିବାରୁ ସେମାନେ ଧାରଣାରେ ବସିଥିଲେ ବୋଲି କର୍ମଚାରୀ ମାନେ କହିଛନ୍ତି l ଏଥିପ୍ରତି ଦୃଷ୍ଟି ଦେବାସହ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଭାବି ସମ୍ପୃକ୍ତ କର୍ମଚାରୀଙ୍କୁ ଦରମା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page