ନୟାଗଡ଼/ଶରଣକୁଳ,୧୭.୩.୨୦୨୫: ନୟାଗଡ଼ ଜିଲ୍ଲା ଶରଣକୁଳ ଅନ୍ତର୍ଗତ କୁରୁମୁଣ୍ଡାଳୀ ନିକଟସ୍ଥ ଶିଖରପୁର ଗ୍ରାମରେ ମହିମା ଧର୍ମାବଲମ୍ବୀ ଭକ୍ତ ମଧୁସୂଦନ ସାହୁଙ୍କର କନିଷ୍ଠ ପୁତ୍ର ଚୈତନ୍ୟ ଦାସ ମହିମା ଧର୍ମରେ ଦିକ୍ଷିତ ହୋଇଛନ୍ତି । ମହିମା ସମାଜର ପୂଜ୍ୟ ବ୍ରହ୍ମ ଅବଧୂତ ବାବା ଈଶ୍ୱର ଚନ୍ଦ୍ରଙ୍କ ଗହଣରେ ସନ୍ନ୍ୟାସୀ ହୋଇ ଡୋର କୌପିନ ଗ୍ରହଣ କରି ଅପର ସନ୍ନ୍ୟାସୀ ହୋଇଛନ୍ତି । ମହିମା ଧର୍ମ ଅନୁସାରେ ସାଧୁତ୍ୱ ଗ୍ରହଣ କଲାପରେ ସର୍ବପ୍ରଥମେ ନିଜ ଘରୁ ସାଧୁ ତ୍ୟାଗ ଭିକ୍ଷା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଏହାସହିତ ସଂସାରର

ମଙ୍ଗଳ ତଥା ମହିମା ଧର୍ମର ଅଲୌକିକ ପ୍ରଚାର ଓ ପ୍ରସାର ପାଇଁ ସେ ନିଜକୁ ତ୍ୟାଗ ଓ ସମର୍ପିତ କରିବା ସହିତ ଉକ୍ତ ମହିମା ଧର୍ମର ପ୍ରତ୍ୟେକ ନୀତି ନିୟମଗୁଡ଼ିକୁ ପାଳନ କରିଛନ୍ତି । ଏହି ଅବସରରେ ସାଧୁ ଚୈତନ୍ୟ ଦାସ ତ୍ୟାଗପୂତ ଭିକ୍ଷା ଗ୍ରହଣ ପୂର୍ବକ ଉକ୍ତ ଗ୍ରାମରେ ସଂଧ୍ୟା ସମୟରେ ବ୍ରହ୍ମଧ୍ୱନୀ ସ୍ଥାପନା ଓ ଭଜନ କୀର୍ତ୍ତନ ସହିତ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତା’ ପରଦିନ ପ୍ରାତଃ ସମୟରେ ତ୍ୟାଗ ଭିକ୍ଷା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ମହିମା ଧର୍ମ ଅନୁସାରେ ତ୍ୟାଗ ଭିକ୍ଷା ଗ୍ରହଣ କରିବା ପରେ ସାଧୁ ଚୈତନ୍ୟ ଦାସ ନିଜର ଅଂଚଳକୁ ତ୍ୟାଗ କଲେ । ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମକୁ ସାଧୁ ଚୈତନ୍ୟଙ୍କ ପରିବାର ସଦସ୍ୟଙ୍କ ସହିତ ପରାପର ସନ୍ନ୍ୟାସୀ ସଭାପତି ବ୍ରହ୍ମଅବଧୂତ ଶୁକଦେବ ବାବା, ବ୍ରଜବନ୍ଧୁ ବାବା, କୈଳାସ ଚନ୍ଦ୍ର ବାବା ଏବଂ ଜୟରାମ ବାବାଙ୍କ ସହିତ ଅନ୍ୟ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ ବୋଲି ମହିମା ସେବା ଫାଉଣ୍ଡେସନ ସଭାପତି ସମାଜସେବୀ ନାରାୟଣ ଖୁଂଟିଆ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।