ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ(ଚନ୍ଦନ ଯାତ୍ରା) ବନାମ କପିଳନାଥ

ଭୁବନେଶ୍ଵର ୨୭/୦୪:-ଯଯାତି କେଶରୀ ଓ ଲଲାଟେନ୍ଦୁ କେଶରୀଙ୍କ ଦ୍ଵାରା ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଯାଇଥିଲା। ସେହି ସମୟରେ ପଣ୍ଡିତମାନଙ୍କ ଦ୍ୱାରା ନୀତି କାନ୍ତି ନିର୍ଘଣ୍ଟ କରାଯାଇ ତାକୁ ପୁରୁଷ ପୁରୁଷ କ୍ରମେ କାର୍ଯ୍ୟକାରୀ ହୋଇ ଚାଲିଥିଲା। ଚନ୍ଦନ ଯାତ୍ରା ସେଥି ମଧ୍ୟରୁ ଅନ୍ୟତମ। ମହାପ୍ରଭୁ ଲିଙ୍ଗରାଜ ଅକ୍ଷୟ ତୃତୀୟାରୁ ୨୨ ଦିନ ଧରି ବିନ୍ଦୁ ସାଗରରେ ରୈ।ଦ୍ର ତାପରୁ ରକ୍ଷା ପାଇବା ନିମନ୍ତେ ଶୀତଳ ଚାପ ଖେଳନ୍ତି। ଚନ୍ଦନ ଯାତ୍ରାରେ କପିଳେଶ୍ଵରର କପିଳ ନାଥ, ବାସୁଦେବ, ଦୁର୍ଗାଙ୍କ ସହିତ ମହାପ୍ରଭୁ ଲିଙ୍ଗରାଜ ବିରାଜମାନ ହୁଅନ୍ତି। ଏହି ଅପୂର୍ବ ଶୋଭା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଜନସାଧାରଣ ଛୁଟି ଆସନ୍ତି।ଏହି ଦର୍ଶନ ଦ୍ଵାରା ପାପ ତାପ ଦୂର ହୋଇ ସଂସାର ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଦୁଃଖ ଓ କ୍ଷୋଭର ବିଷୟ, ୨୦୧୬ ମସିହା ଠାରୁ କପିଳେଶ୍ୱରର କପିଳନାଥଙ୍କ ଦୁଇ ସେବାୟତଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ କଥାଟି କୋର୍ଟ କଚେରି ପର୍ଯ୍ୟନ୍ତ ଗତି କଲା। ଏଥିରେ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ପୂର୍ବରୁ ଯିଏ ଯେଉଁ ପରି ଠାକୁରଙ୍କ ସେବା କରୁଥିଲେ, ସେ ସେହିପରି କରିବେ।ପୂର୍ବ ସରକାର ଅମଳରୁ ତାହା ସେବାୟତମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଗଲା ନାହିଁ। ଯାହା ଫଳରେ କପିଳ ନାଥ ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ, ଚନ୍ଦନ ଯାତ୍ରା (ଚାପ) ଇତ୍ୟାଦି ନୀତି କାନ୍ତି ବନ୍ଦ ହୋଇ ୧୪ ନୀତିରୁ ୧୦ ଗୋଟିଏ ନୀତି ବନ୍ଦ ହୋଇ ଯାଇଅଛି।

ଏହାର ପ୍ରତିକାର ନିମନ୍ତେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ, ଦେବୋତ୍ତର ବିଭାଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରି ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ତାହାର ସମାଧାନ ହୋଇପାରି ନାହିଁ। ଲୋକ କଥାରେ, ଲିଙ୍ଗରାଜ ରାଜା ଓ କପିଳ ନାଥ ତାଙ୍କ ମନ୍ତ୍ରୀ। ତେଣୁ ରାଜାଙ୍କ ସହ ମନ୍ତ୍ରୀ ରହିବା ସ୍ଵାଭାବିକ। ହେଲେ, ଗତବର୍ଷ ନୂଆ କରି କପିଳ ନାଥ କପିଳେଶ୍ଵରରେ ଥିବା ମଣିକର୍ଣ୍ଣୀକା ପୁଷ୍କରିଣୀରେ ଚାପ ବା ଚନ୍ଦନ ଯାତ୍ରା ମଲିଆ ସେବାୟତଙ୍କ ଦ୍ୱାରା କରାଗଲା। ଚଳିତ ବର୍ଷ ମଧ୍ୟ ବିନା ରାଜାରେ ମନ୍ତ୍ରୀ ମହାଶୟ (କପିଳନାଥ)ଏକା ଏକା ମଣିକର୍ଣ୍ଣୀକାରେ ଚାପ ଖେଳୁଅଛନ୍ତି।କଥାଟି ଏକ ଅପ୍ରାସଙ୍ଗିକ ଲାଗୁଛି। ଏହା ଆଇନ ବିରୁଦ୍ଧ ମଧ୍ୟ।ଏଥି ନିମନ୍ତେ ଶ୍ରୀ ମିଶ୍ର ଦେବୋତ୍ତର କମିଶନର, ଶ୍ରୀ ସତ୍ୟ ନାରାୟଣ ଷଡ଼ଙ୍ଗୀଙ୍କୁ ଲିଙ୍ଗରାଜ ମହାପ୍ରଭୁ ଓ କପିଳ ନାଥଙ୍କ ବିଷୟରେ ଏକ ସ୍ଥାୟୀ ସମାଧାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ତାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗ୍ରିଭାନସରେ ପ୍ରଦାନ କରିଅଛନ୍ତି।ତଥା ମନ୍ଦିର ନିକଟରେ ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ଅଶୋକ କୁମାର ମହାରଣା, ଗିରିଜା ଶଙ୍କର ମହାପାତ୍ର, ତାରା ଚରଣ ଆଚାର୍ଯ୍ୟ, ଭୁବନେଶ୍ଵରୀ ମିଶ୍ର, ସତ୍ୟନାରାୟଣ ମିଶ୍ର, ଶିଶିର ରଥ, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ସରୋଜ କୁମାର ମହାନ୍ତି, ପୀୟୂଷ ମହାନ୍ତି, ସ୍ନେହଲତା ମହାପାତ୍ର, ବର୍ଣ୍ଣମାଳା ପାତ୍ର ପ୍ରମୁଖ ଭାଗ ନେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page