.ରାଉରକେଲା, ୧୨/୯: ୫ ଲକ୍ଷ ଟଙ୍କା ଅବୈଧ ନଗଦ ଜବତ ଘଟଣାରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି। ଏନେଇ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୨, ତାରିଖ ୧୧.୦୯.୨୦୨୬ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ଧାରା ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ, ଅବକାରୀ ଲାଇସେନ୍ସଧାରୀମାନଙ୍କ ଠାରୁ ବିପୁଳ ପରିମାଣର ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ବିଶ୍ୱସନୀୟ ସୂଚନା ମିଳିବା ପରେ ଭିଜିଲାନ୍ସ ଟିମ୍ ଧନେଶ୍ୱର ବରାଡ଼ଙ୍କ ଗତିବିଧି ଉପରେ ନଜର ରଖିଥିଲା।ଗତକାଲି ରାତିରେ ରାଉରକେଲା ଉଦିତନଗରସ୍ଥିତ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କର୍ପିଓରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କା ଜଣେ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନଙ୍କ ମାଧ୍ୟମରେ ଧନେଶ୍ୱର ବରାଡ଼ଙ୍କ ବାସଭବନକୁ ପଠାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସାକ୍ଷୀମାନଙ୍କ ଉପସ୍ଥିତିରେ ଗାଡ଼ିକୁ ଅଟକାଇ ନଗଦ ଟଙ୍କା ଜବତ କରାଯିବା ପରେ ସଂପୃକ୍ତ ସେଲ୍ସମ୍ୟାନ ଏହି ଟଙ୍କା ଅବକାରୀ ଅଧୀକ୍ଷକ ଦେଇଥିବା ଓ ତାଙ୍କ ଘରେ ପହଞ୍ଚାଇବା ପାଇଁ ନେଉଥିବା କହିଥିଲେ। ଏ ସମ୍ପର୍କରେ ପଚରାଉଚରା ବେଳେ ଶ୍ରୀ ବରାଡ଼ ମଧ୍ୟ ଏହା ସ୍ୱୀକାର କରିଥିବା ଏବଂ ଜବତ ୫ ଲକ୍ଷ ଟଙ୍କାର ସନ୍ତୋଷଜନକ ହିସାବ ଦେଇପାରିନଥିବା ଭିଜିଲାନ୍ସ ଦାବି କରିଛି।

ରାଉରକେଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକକାଳୀନ ଚଢ଼ାଉ ନଗଦ ୫ ଲକ୍ଷ ଟଙ୍କା ଜବତ ପରେ ଗତକାଲି ରାତିରେ ଧନେଶ୍ୱର ବରାଡ଼ଙ୍କ ରାଉରକେଲା ସିଭିଲ ଟାଉନସିପ୍ସ୍ଥିତ ବାସଭବନ ଏବଂ ଭୁବନେଶ୍ୱର ରଘୁନାଥପୁରସ୍ଥିତ ଦୁଇ ମହଲା କୋଠାରେ ଏକକାଳୀନ ତଲାସୀ ଚଳାଇଥିଲା ଭିଜିଲାନ୍ସ। ତଲାସୀ ବେଳେ ଭୁବନେଶ୍ୱର ରଘୁନାଥପୁରରେ ପ୍ରାୟ ୨୭୦୦ ବର୍ଗଫୁଟ୍ର ଏକ ଦୁଇ ମହଲା କୋଠା, ଭୁବନେଶ୍ୱରରେ ଗୋଟିଏ ଏବଂ ନୟାଗଡ଼ ଉପକଣ୍ଠରେ ତିନୋଟି—ମୋଟ ୪ଟି ପ୍ଲଟ୍ ସମ୍ପର୍କିତ ଦସ୍ତାବିଜ ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ପ୍ରାୟ ୩୩.୯୭ ଲକ୍ଷ ଟଙ୍କାର ଜମାରାଶି ଠାବ ହୋଇଛି। ଅନ୍ୟାନ୍ୟ ନିବେଶ ଓ ଜମା ସମ୍ପର୍କିତ ଦସ୍ତାବିଜ ମଧ୍ୟ ମିଳିଥିବା ବେଳେ ସେଗୁଡ଼ିକର ଯାଞ୍ଚ ଜାରି ରହିଛି। ତଲାସୀ, ସମ୍ପତ୍ତିର ତାଲିକା ପ୍ରସ୍ତୁତି ଓ ପ୍ରାଥମିକ ତଦନ୍ତ ପରେ ଧନେଶ୍ୱର ବରାଡ଼ଙ୍କ ଆୟ, ବ୍ୟୟ ଓ ସମ୍ପତ୍ତିର ହିସାବ କରାଯିବାରୁ ତାହା ତାଙ୍କ ଅର୍ଜିତ ଆୟଠାରୁ ୧୦୦% ଅଧିକ ଥିବା ଭିଜିଲାନ୍ସ କହିଛି। ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଜବତ ଦସ୍ତାବିଜ, ନିବେଶ ଓ ଅନ୍ୟାନ୍ୟ ସମ୍ପତ୍ତିର ଉତ୍ସ ସମ୍ପର୍କରେ ଅଧିକ ଯାଞ୍ଚ ଜାରି ରହିଥିବା ଭିଜଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।