ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ):ଆମ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ରଜ l ଏହାକୁ ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ପାଳନ କରନ୍ତି l ଖାସକରି ଯୁବତୀ ଓ ମହିଳା ମାନେ ଏହି ପର୍ବ ପାଳନ କରିଥାନ୍ତି ବୋଲି ଶିଶୁପାଳଗଡ଼ ଦଶହରା ପଡିଆରେ ଦଧିବାମନ ଦେବ ସେବା ସମବାୟ ସମିତି ପକ୍ଷରୁ ଆୟୋଜିତ ପ୍ରଥମ ରଜ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି l ଉଦ୍ଘାଟନୀ ଉତ୍ସବରେ ମେୟର ଶ୍ରୀମତୀ ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଜ ପର୍ବର ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବାସ କୁମାର ସୁନ୍ଦରାୟ, ଶିଶୁପାଳଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ରଶ୍ମିରଞ୍ଜନ ଶ୍ରୀଚନ୍ଦନ, ବିଜେପି ମୁଖପାତ୍ର ଶ୍ରୀ ପ୍ରଦୀପ୍ତ କୁମାର ଜେନା ସହ ଯୁବ ନେତା ପ୍ରଦ୍ଵିମ୍ନ ଜେନା ଉପସ୍ଥିତ ରହି ଆୟୋଜକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ହୋତ୍ସବ ଅବସରରେ ରଜଦୋଳି, ପୁଚି ଖେଳ, କବାଡ଼ି, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା, ପାରମ୍ପରିକ ପିଠା ପ୍ରଦର୍ଶନୀ ଏବଂ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ ହେବ । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ଆସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଓ କଳାକାରମାନେ ସୁମଧୁର ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମୁଗ୍ଧ କରିବାର ଆୟୋଜନ ମଧ୍ୟ ରହିଛି । ଉଦ୍ଘାଟନୀ ସନ୍ଧ୍ୟାରେ ଇରା ମହାନ୍ତିଙ୍କ ସଙ୍ଗୀତର ମତୁଆଲା ହେଲେ ଦର୍ଶକ। ରଜ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଓଡ଼ିଆ ଜାତିର ସଂସ୍କୃତି, ନାରୀ ସମ୍ମାନ ଏବଂ ପ୍ରକୃତି ସହ ମାନବର ସମ୍ପର୍କର ପ୍ରତୀକ।

ଏଭଳି ଉତ୍ସବ ନୂତନ ପିଢ଼ିକୁ ନିଜ ଐତିହ୍ୟ ଓ ପରମ୍ପରା ସହ ଯୋଡ଼ି ରଖିବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ଶେଷରେ ଆୟୋଜକ ସମିତି ପକ୍ଷରୁ ସମସ୍ତ ଅତିଥି, କଳାକାର ଓ ଦର୍ଶକମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।