ବାଲୁଗାଁ : ଦୀପାବଳି ମାନେ ନିଜ ପରିବାର ସହ ଖୁସି ମନାଇବା। କିନ୍ତୁ ଏଥର ଦୀପାବଳିରେ ଦୁଇ ପୋଲିସ ଅଧିକାରୀ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ନାଚୁଣୀ ଥାନା ଆଇଆଇସି ବିଭୂତି ଭୂଷଣ ମହାପାତ୍ର ଏବଂ ବାଲୁଗାଁ ଥାନା ଆଇଆଇସି ଶ୍ରଦ୍ଧା ନାୟକ ଚାକିରି ଭିତରୁ ସମୟ ବାହାର କରି ନିଜ ପରିବାରକୁ ପଛରେ ପକାଇ କିମ୍ଭିରପଡ଼ା ସ୍ଥିତ ବୃଦ୍ଧାଶ୍ରମରେ ପହଞ୍ଚିଥିଲେ। ବୃଦ୍ଧାଶ୍ରମରେ ପହଞ୍ଚି ଦୁଇ ଅଧିକାରୀ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ପ୍ରଥମେ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇଥିଲେ।

ପରେ ସେମାନଙ୍କୁ ମିଠା, ଫଳ ଓ ଦୀପ ବଣ୍ଟନ କରିଥିଲେ। ସମସ୍ତେ ମିଶି ବୃଦ୍ଧାଶ୍ରମରେ ଦୀପ ଜାଳିଥିଲେ। ବୃଦ୍ଧ ବୃଦ୍ଧାମାନଙ୍କ ସହ ବସି ସେମାନଙ୍କ ସୁଖ ଦୁଃଖ କଥା ବୁଝିଥିଲେ। ନିଜ ପିଲାଙ୍କ ଭଳି ସ୍ନେହ ଆଦର କରି ସେମାନଙ୍କ ମୁହଁରେ ହସ ଫୁଟାଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା। ବୃଦ୍ଧ ବୃଦ୍ଧାମାନେ କହିଥିଲେ, ଆଜି ଆମକୁ ଲାଗୁଛି ଆମେ ଏକା ନୁହଁ, ଆମ ପାଇଁ ବି କେହି ଅଛନ୍ତି। ଏହି ଅବସରରେ ଦୁଇ ଆଇଆଇସି କହିଥିଲେ, ପୋଲିସର କାମ କେବଳ ଅପରାଧୀଙ୍କୁ ଧରିବା ନୁହେଁ, ଲୋକମାନଙ୍କ ସୁଖ ଦୁଃଖରେ ଛିଡ଼ା ହେବା ମଧ୍ୟ ଆମର କର୍ତ୍ତବ୍ୟ। ବୃଦ୍ଧ ବୃଦ୍ଧାମାନେ ଆମ ସମାଜର ଅମୂଲ୍ୟ ସମ୍ପଦ। ତାଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ଵ। ପୋଲିସର ଏଭଳି ମାନବିକ କାର୍ଯ୍ୟକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିବା ସହ ଦୁଇ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।