ବାଲୁଗାଁ, ଦୀର୍ଘ ୬ ମାସ ପରେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡ଼େଇଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି।ବାରମ୍ବାର ତାଗିଦ୍ ସତ୍ତ୍ୱେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି କବଳରେ ଚିଲିକା ରହିଥିବା ବେଳେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରଖିଛନ୍ତି।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନରେ ପାଖାପାଖି ୨୦୦୦ ହେକ୍ଟରରୁ ଉର୍ଦ୍ଧ୍ବ ଅଞ୍ଚଳ ଘେରିମୁକ୍ତ ହୋଇଛି।ଉକ୍ତ ଅଭିଯାନରେ ଚିଲିକା ଅତିରିକ୍ତ ତହସିଲଦାର ଶୃଭଂଶୁପ୍ରଭା ମିଶ୍ର,ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ,ଆଇଆଇସି ଶ୍ରଦ୍ଧା ନାୟକଙ୍କ ସମେତ ତହସିଲ

କର୍ମଚାରୀ,ସିଡିଏ କର୍ମଚାରୀ,ପୋଲିସ କର୍ମଚାରୀ,ମତ୍ସ୍ୟବିଭାଗ କର୍ମଚାରୀ,ରାଜସ୍ୱ ନିରୀକ୍ଷକ,ରାଜସ୍ୱ ସୁପରଭାଇଜର ଓ ଟିମ ସାମିଲ ଥିଲେ।ଚିଲିକା ତଟବର୍ତୀ ବଡ଼କୂଳ,ସିଡିଏ ଠାରୁ କଳିଯୁଗେଶ୍ୱର ପାହାଡ ପର୍ଯ୍ୟନ୍ତ ଚିଲିକା ମଧ୍ୟରେ ପ୍ରାୟତଃ ୨୦୦୦ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି।ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ କୁଇଣ୍ଟାଲ,କୁଇଣ୍ଟାଲ ଜିରୋ ନେଟ ସହ ଏକାଧିକ ବାଉଁଶ କିଳା ଜବତ କରାଯାଇଥିବା ତହସିଲଦାର ଶ୍ରୀ ଘଡ଼େଇ ସୂଚନା ଦେଇଛନ୍ତି।ଏଥିସହିତ ଏହି ଉଚ୍ଛେଦ ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବା ନେଇ ସୂଚନା ମିଳିଛି।