କଳାହାଣ୍ଡି,୧୨|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କଲମପୁର-ଜୁନାଗଡ଼ ମୁଖ୍ୟ କଲମପୁର ଘର୍ଲାଯୋର ନିକଟରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଖବର ଅନୁସାରେ ଥୁଆମୂଳ ରାମପୁର ଥାନା ବଡ଼ବଣ୍ଡେଲର ଏକ ବରଯାତ୍ରୀ ଦଳ କଲମପୁର ଥାନା କଦଳୀଚୁଆଁକୁ ଆସିଥିଲେ । କିଛି ବରଯାତ୍ରୀ ବାଇକରେ ଆସିଥିଲେ । ବିବାହ ଭୋଜି ଖାଇ ସାରି ବିଳମ୍ବିତ ରାତିରେ ବଡ଼ବଣ୍ଡେଲର ମଳୟ ନାଏକ, ହେମନ୍ତ ମାଝୀ,ଗଜିନ୍ଦ୍ର ପରାଭୋଇ ଓ ଜୟମଲ ମାଝୀ ବାଇକରେ ଯୋଗେ କଲମପୁର ଦେଇ ଫେରୁଥିଲେ । ଏହି ସମୟରେ କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାରେ ଥିବା ନିର୍ମାଣାଧୀନ ଘର୍ଲାଯୋର ପୋଲର ୨୫ ଫୁଟ ତଳେ ପଡି ଯାଇଥିଲେ |ଏହି ସାଙ୍ଗ ମାନଙ୍କ ଚାରି ଜଣଙ୍କ ମଧ୍ୟରୁ ମଳୟ, ହେମନ୍ତ ଓ ଗଜିନ୍ଦ୍ର ଗୁରୁତର ହୋଇଥିବା ବେଳେ ଜୟମଲ ସୁରକ୍ଷିତ ରହିଥିଲା |ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କଲମପୁର ଅଗ୍ନିଶନ ବିଭାଗ କର୍ମଚାରୀ ୩ ଗୁରୁତରଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ
ମଳୟଙ୍କ ମୃତ୍ୟୁ ହୋଇଥିଲା । କଲମପୁର ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏସ.ଆଇ ଶିବଶଙ୍କର ମହାନ୍ତି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ ହେଇ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ ଜବତ କରିଛନ୍ତି ।ଶବ କୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି