ଇକୋସେଭର୍ସ: ଯୁଥ୍ ନେଟୱାର୍କ ପାଳନ କଲେ ବିଶ୍ବ ଜଳ ଦିବସ

ବାଲିଅନ୍ତା ୨୨/୦୩:-ଜଳ ଜୀବନ ପାଇଁ ସବୁଠାରୁ ଆବଶ୍ୟକୀୟ ପ୍ରାକୃତିକ ସମ୍ପଦ ମଧ୍ୟରୁ ଗୋଟିଏ । କିନ୍ତୁ ଜନସଂଖ୍ୟାର ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ଜଳର ଅପବ୍ୟବହାର ଫଳରେ ବିଶ୍ବରେ ଜଳ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଗ୍ରାମାଞ୍ଚଳର ଅଧିବାସୀ ମାନେ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାଣି ପାଇବାରେ ବିଭିନ୍ନ ସମସ୍ୟାର ସମ୍‌ମୁଖୀନ ହେଉଛନ୍ତି I ଜଳ ସଂରକ୍ଷଣ, ଜଳାଶୟ ସୁରକ୍ଷା ଓ ଚିରସ୍ଥାୟୀ ଜଳ ପରିଚାଳନା ସମ୍ପର୍କରେ ସଚେତନ‌ତା ବୃଦ୍ଧି ପାଇଁ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ବ ଜଳ ଦିବସ ପାଳନ କରାଯାଏ । ଏହି ଅବସରରେ, ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରଲ୍ ସେଣ୍ଟର (ପିକକ୍) ଦ୍ବାରା ଗଠିତ ଇକୋସେଭର୍ସ: ୟୁଥ୍ ନେଟୱାର୍କର ସଦସ୍ୟମାନେ ଜଳ ଦିବସ ଉପଲକ୍ଷେ ୨୦ ରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ୩ ଦିନିଆ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଖୋର୍ଦ୍ଧା, ବାଲେଶ୍ବର, କଟକ, କେଉଁଝର, ଜାଜପୁର, କେନ୍ଦ୍ରପଡା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୋଇଥିଲା । ଏହି ଅବସରରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କହିଲେ, “ଜଳ ସଂରକ୍ଷଣ କେବଳ ପରିବେଶୀୟ ଦାୟିତ୍ଵ ନୁହେଁ, ବରଂ ଏକ ସାମାଜିକ ପ୍ରତିବଦ୍ଧତା ମଧ୍ୟ ଅଟେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦାୟିତ୍ବଶୀଳ ଭାବରେ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ବିଶେଷକରି ମହିଳା ଓ ସମ୍ବେଦନଶୀଳ ସମୁଦାୟମାନଙ୍କ ପାଇଁ ସୁରକ୍ଷିତ, ସମାନ ଏବଂ ଚିରସ୍ଥାୟୀ ଜଳ ପାଇବାକୁ ସୁନିଶ୍ଚିତ କରିବା ଆବଶ୍ୟକ ।” ଏହି ବର୍ଷ ଜଳ ଦିବସ ପାଳନ “ଜଳ ଓ ଲିଙ୍ଗ ସମତା” ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନ ବିଶ୍ବ ଜଳ ସଙ୍କଟରେ ମହିଳା ଓ ବାଳିକାମାନଙ୍କ ଉପରେ ପଡ଼ୁଥିବା ଅସମାନ ପ୍ରଭାବକୁ ଜାଗ୍ରତ କରେ ଏବଂ ଜଳର ପରିଚାଳନା ଓ ନିଷ୍ପତି ଗ୍ରହଣରେ ସେମାନଙ୍କର ସମାନ ଭାଗିଦାରିକୁ ଆହ୍ୱାନ କରେ। ଏହି ଉପଲକ୍ଷେ ଇକୋସେଭର୍ସ ୟୁଥ୍ ନେଟୱର୍କର ସଦସ୍ୟମାନେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ରାଲି, ପୋଷ୍ଟର ପ୍ରସ୍ତୁତି, କାନ୍ଥ ପତ୍ରିକା, ଗ୍ରାମରେ ସଭା, ଚେକ୍ ଡ୍ୟାମ୍ ପ୍ରସ୍ତୁତି, ବର୍ଷାଜଳ ସଂଗ୍ରହ ପାଇଁ ଟ୍ରେଞ୍ଚ ଖନନ, ଜଳଛତୁର ସ୍ଥାପନ, ସର୍ବସାଧାରଣ ଟ୍ୟୁବୱେଲ ସଫା, କୂଅ ସଫା, ଜଳ ବିଷୟରେ ରଚନା ଓ କବିତା ଲେଖୁବା, ପକ୍ଷୀ ବସା ପ୍ରସ୍ତୁତି, ପଶୁପକ୍ଷୀଙ୍କୁ ପାଣି ଦେବା, ଶପଥ ଗ୍ରହଣ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଜଳର ମୂଲ୍ୟ ବିଷୟରେ ସଚେତନ କରାଯାଇଥିଲା ।

ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କହିଥିଲେ, “ସମୁଦାୟଙ୍କୁ ସଶକ୍ତ କରିବା —ବିଶେଷକରି ମହିଳା ଓ ଯୁବଗୋଷ୍ଠୀ ମାନଙ୍କୁ ଜଳର ଉପଯୁକ୍ତ ପରିଚାଳନା ଓ ସୁଦୃଢ଼ ଭବିଷ୍ୟତ ନିର୍ମାଣ କରିବାର ମୂଳ ମନ୍ତ୍ର ଅଟେ।” ବାଲିଆନ୍ତାର ଇକୋସେଭର୍ସ ଯୁବ ସଦସ୍ୟା ତପସ୍ବିନୀ ଦାସ କହିଲେ, ” ଯୁବଗୋଷ୍ଠୀର ସଦସ୍ୟ ଭାବେ ଆମେ ଜଳ ସମ୍ପଦକୁ ସୁରକ୍ଷା କରିବା ଓ ଆମ ସମୁଦାୟରେ ଜଳର ଦାୟିତ୍ଵଶୀଳ ବ୍ୟବହାରକୁ ପ୍ରୋତ୍ସାହନ ଦେବାରେ ଅଗ୍ରଣୀ ଭୂମିକା ନେବା ଆବଶ୍ୟକ।” କେଉଁଝର ଜିଲ୍ଲାର ପାଟଣା ବ୍ଲକର ଇକୋସେଭର୍ସ ଯୁବ ସଦସ୍ୟ ଭୋଳାନାଥ ମୁଣ୍ଡା କହିଲେ, “ଆଗାମୀ ପିଢ଼ୀ ପାଇଁ ଏକ ସୁରକ୍ଷିତ ଓ ଚିରସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଆମେ ଆଜି ଜଳ ସଂରକ୍ଷଣ ପାଇଁ ସମୁହିକ ପଦକ୍ଷେପ ନେଉଛୁ ।” ଇକୋସେଭର୍ସ ଯୁବ ନେଟୱର୍କର ସଦସ୍ୟମାନେ ସମସ୍ତଙ୍କୁ ଜଳକୁ ସତର୍କତାର ସହିତ ବ୍ୟବହାର, ଜଳ ଅପଚୟ ରୋକିବା, ପରିବେଶ ସୁରକ୍ଷା କରିବା ଓ ଜଳ ପରିଚାଳନାରେ ଲିଙ୍ଗ ସମତାକୁ ପ୍ରୋତ୍ସାହନ ଦେବା ପାଇଁ ଆହ୍ୱାନ କରିଥିଲେ । ପିକକ୍ ର ଜ୍ୟୋତିଷଙ୍କର ମହାନ୍ତି, ସତ୍ୟ ନାରାୟଣ ମହନ୍ତ, ପୂଜା ପଣ୍ଡା, ରଶ୍ମିରେଖା ସାହୁ, ଅଙ୍କିତା ବାରିକ, ଉପମା ମହାନ୍ତି, ନାରାୟଣ ଦାସ, ବାମଦେବ ଜେନା, ସୁବ୍ରତ ସାହୁ ପ୍ରମୁଖ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page