ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ।

ବାଲିଅନ୍ତା, ୨୦/୪/୨୬ (ଗୋବର୍ଦ୍ଧନ ଦାସ ): ବାଲିଅନ୍ତା ବ୍ଳକ ଅନ୍ତର୍ଗତ କାକରୁଦ୍ରପୁର ପଞ୍ଚାୟତରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୋମବାର ଦିନ ପତିତପାବନ ଦେବଙ୍କ ରଥ ନିର୍ମାଣ ନିମନ୍ତେ ବିଧିବଦ୍ଧ ଭାବେ ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି।ପରମ୍ପରା ଅନୁଯାୟୀ, ପ୍ରଥମେ ଚିହ୍ନଟ ହୋଇଥିବା ପବିତ୍ର କାଠକୁ ରଥଖଳାକୁ ଅଣାଯାଇଥିଲା। ଆଜି ପ୍ରତ୍ୟୁଷରୁ ଶାସ୍ତ୍ରୀୟ ରୀତିମତେ ପୂଜାର୍ଚ୍ଚନା କରାଯିବା ସହ କାଠ ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଅର୍ଘ୍ୟ, ଫୁଲ, ଚନ୍ଦନ ଓ ପଞ୍ଚାମୃତ ଆଦି ଅର୍ପଣ କରାଯାଇ ପୂଜା କାର୍ଯ୍ୟ ସମାହିତ ହୋଇଥିଲା। ଏହି ଅବସରରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କମିଟିର ସଦସ୍ୟବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ପୂଜକ ବାଉରୀ ବନ୍ଧୁ ପଣ୍ଡା ଓ ପ୍ରିୟବ୍ରତ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ରଥ ନିର୍ମାଣ ଦାୟିତ୍ୱରେ ଥିବା ମହାରଣା ସେବକ, ଗ୍ରାମବାସୀ ଓ ବହୁ ଶ୍ରଦ୍ଧାଳୁ ରଥଖଳାରେ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ଜୟଦେବ ପୀଠ କେନ୍ଦୁବିଲ୍ଵ ( ଉପରସାହି ) ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥ ଅନୁକୂଳ ହୋଇଥିଲା, ଏଥି ପାଇଁ ଶ୍ରୀଜୀଉ ଙ୍କର ସକାଳ ଧୂପ ପୂଜା ପରେ ଓ ମଧ୍ୟାହ୍ନ ପୂଜା ପରେ ମହାପ୍ରଭୁ ଙ୍କ ଠାରୁ ଆଜ୍ଞା ମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ ଓ ମା ଶ୍ରୀଦେବୀ ( ଲକ୍ଷ୍ମୀ) ରଥ ଅନୁକୂଳ ସ୍ଥାନ କୁ ଆସିଥିଲେ। ସେଠାରେ ପୂଜକ ଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ନୀତି କାନ୍ତି ପରେ ବିଶ୍ୱକର୍ମା ସେବକ ଙ୍କ ଦ୍ଵାରା ନଡ଼ିଆ ଭାଙ୍ଗି ରଥ ଅନୁକୂଳ ହୋଇଥିଲା। ମଧ୍ୟାହ୍ନ ରେ ଚତୁର୍ଦ୍ଧା ମୂର୍ତ୍ତି ଚନ୍ଦନଲାଗି ବେଶରେ ସଜ୍ଜିତ ହୋଇଥିଲେ। ରଥ ଅନୁକୂଳ ସମୟରେ ଗ୍ରାମବାସୀ ମାନେ ଉପସ୍ଥିତ ରହି ପୂଜା ଓ ଆଳତି ଦର୍ଶନ କରିଥିଲେ। ଶେଷରେ ଚଳନ୍ତି ପ୍ରତିମା ମାନେ ସିଂହାସନକୁ ବିଜେ କରିଥିଲେ । ଉକ୍ତ ଅଞ୍ଚଳ ମାନଙ୍କରେ ପବିତ୍ର ଅକ୍ଷୟ ତୃତୀୟାରୁ ହିଁ ମହାପ୍ରଭୁଙ୍କ ରଥ ନିର୍ମାଣର ଅୟମାରମ୍ଭ ହୋଇଥାଏ। ଚଳିତ ବର୍ଷ ଯାତ୍ରାକୁ ଶୃଙ୍ଖଳିତ ଓ ଭବ୍ୟ କରିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଦେଖିବାକୁ ମିଳିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page